କେନ୍ଦୁଝର:ଏଟିଏମ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବା କଥା ସଭିଙ୍କୁ ଜଣା । ହେଲେ ଏଟିଏମ ପେଟ୍ରୋଲ ମେସିନ କଥା ହୁଏତ କେହି ଆଗରୁ କେବେ ଶୁଣି ନଥିବେ । ଯେଉଁ ମେସିନ କଥା କେବେ କେହି କଳ୍ପନା କରିନଥିଲେ, ତାହାକୁ ବାସ୍ତବତାରେ ପରିଣତ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜଣେ ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ । ଏହି ମେସିନକୁ ପରିଚାଳିତ କରିବା ପାଇଁ କୌଣସି ବ୍ୟକ୍ତିର ଆବଶ୍ୟକତା ନଥାଏ । ଗ୍ରାହକ କେବଳ ଟଙ୍କା ଭର୍ତ୍ତି କଲେ ଯଥା ପରିମାଣର ପେଟ୍ରୋଲ ବାହାରିଥାଏ । ଏହା ଆଖପାଖ ଅଞ୍ଚଳବାସୀଙ୍କୁ ସୁବିଧା ଜନକ ହେବା ସହ ରାତି ସମୟରେ ଭୋଗୁଥିବା ଅସୁବିଧା ମଧ୍ୟ ଦୂର ହୋଇଛି । ଆଦିବାସୀ ଯୁବକ ଜିତେନ୍ଦ୍ରଙ୍କ ଏହି ନିଆରା ଉଦ୍ଭାବନ ଏବେ ତାଙ୍କୁ ନୂଆ ପରିଚୟ ଦେବା ସହ ଲୋକଙ୍କୁ ଯୋଗାଇଛି ଅନେକ ସୁବିଧା ।
ଆଖପାଖର 20 କିଲୋମିଟର ଅଞ୍ଚଳରେ ପେଟ୍ରୋଲ ପମ୍ପ ନଥିବା ବେଳେ ସାହା ପାଲଟିଥିଲା ଯାଜପୁର ଡୁବୁରୀଠାରେ ଥିବା ପେଟ୍ରୋଲ ପମ୍ପ । ଏହାକୁ ନଜରରେ ରଖି ଏହି ଏଟିଏମ ପେଟ୍ରୋଲ ମେସିନର ପରିକଳ୍ପନା କରିଥିଲେ ଜିତେନ୍ଦ୍ର । ପୂର୍ବରୁ ଦାରିଦ୍ର୍ୟର କଷାଘାତରେ ମାତ୍ର 10ମ ଶ୍ରେଣୀ ପରେ ତାଙ୍କ ପାଠପଢାରେ ଡୋରୀ ବାନ୍ଧିଥିବା ବେଳେ ଏହି ମେସିନ ପ୍ରସ୍ତୁତି ପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଅର୍ଥାଭାବ ସତ୍ତ୍ବେ ବିଭିନ୍ନ ସ୍ଥାନରୁ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଡ କରି ସେ 6ରୁ 7 ମାସରେ ପ୍ରସ୍ତୁତ କରିଥିବା ଏହି ମେସିନ ଗତ ବର୍ଷେ ହେବ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଏଥିରେ କେବଳ ପଇସା ଭରିବାକୁ ପଡୁଥିବା ବେଳେ ଏବେ ଡିଜିଟାଲ ପେମେଣ୍ଟର ସୁବିଧା ଆଣିଛନ୍ତି ଜିତେନ୍ଦ୍ର । 24 ଘଣ୍ଟା ସେବା ଯୋଗାଉଥିବା ଏହି ମେସିନରେ 50 ଓ 100 ଟଙ୍କାରେ ଉପଲବ୍ଧ ହେଉଛି ପେଟ୍ରୋଲ ।