ଓଡିଶା

odisha

ETV Bharat / state

ବାଦୁଡିଙ୍କ ସୁରକ୍ଷା କବଚ ପାଲଟିଛନ୍ତି ହଳଧରପୁର ଗ୍ରାମବାସୀ

ଖରାଦିନେ ବାଦୁଡିମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ଜଳକଷ୍ଟରେ ବହୁ ସଂଖ୍ୟକ ଛୁଆ ମରିଯାଉଥିବା ଦେଖାଯାଉଛି। ତେଣୁ ବାଦୁଡି ଛୁଆଙ୍କୁ ବଞ୍ଚାଇବା ପାଇଁ ଜଙ୍ଗଲ ବିଭାଗକୁ ଗ୍ରାମବାସୀ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଉଛି ।

By

Published : Mar 21, 2019, 8:22 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି। ଏହାର ମୁଖ୍ଯ କାରଣ ହେଉଛି ବ୍ୟାପକ ଜଙ୍ଗଲ ନଷ୍ଟ, କଳକାରଖାନା ପ୍ରତିଷ୍ଠା, ବିଭିନ୍ନ କାରଣରୁ ଅତ୍ୟଧିକ ପ୍ରଦୂଷଣ । ତେବେ ଏହାର ସିଧା ପ୍ରଭାବ ସମ୍ପୂର୍ଣ୍ଣ ପ୍ରାଣୀ ଜଗତ ଉପରେ ପଡୁଛି, ଯାହାର ଫଳ ସ୍ୱରୁପ ବହୁ ପ୍ରାଣୀ ଲୁପ୍ତ ହେବାକୁ ବସିଲେଣି । ଏଥି ମଧ୍ୟରୁ ବାଦୁଡି ନାମକ ସ୍ତନ୍ୟପ୍ରାୟୀ ପ୍ରାଣୀ ଅନ୍ୟତମ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଏବେ ଏହି ଲୁପ୍ତପ୍ରାୟ ପ୍ରଜାତିର ପେଣ୍ଠସ୍ଥଳୀ ହୋଇଛି କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗ୍ରାମ । ଏହି ଗ୍ରାମରେ ଏହି ପ୍ରାଣୀ ବିନା ଦ୍ଵନ୍ଦରେ ବିଚରଣ କରିପାରୁଛନ୍ତି । ଗ୍ରାମର ପୁରୁଣା ଗଛ ଗୁଡିକରେ ଆରାମରେ ବସା ବାନ୍ଧି ରହୁଛନ୍ତି । ଦୀର୍ଘଦିନ ଧରି ଏହି ବାଦୁଡି ଏଠି ରହୁଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ତେବେ ହଳଧରପୁର ଗ୍ରାମଟି ଟେରାକୋଟା କାମ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ହେଁ ଏହି ବାଦୁଡି ମଧ୍ୟ ଗ୍ରାମର ପରିଚୟ ପାଲଟିଛନ୍ତି । ତେଣୁ ଏହି ବାଦୁଡିଙ୍କୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଏହି ଗ୍ରାମକୁ ଛୁଟି ଆସୁଛନ୍ତି । ତେବେ ଯେ ହେତୁ ଏହି ବାଦୁଡିମାନେ ଗ୍ରାମର ଶୋଭା ବଢାଉଛନ୍ତି, ସେଥିପାଇଁ ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି । ଏହାଛଡା ଏଠାରେ କେହି ଏମାନଙ୍କୁ ମାରିବାକୁ ଚେଷ୍ଟାକଲେ ସେମାନଙ୍କ ପାଇଁ ଗ୍ରାମବାସୀ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ତେବେ ଖରାଦିନେ ବାଦୁଡିମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ଜଳକଷ୍ଟରେ ବହୁ ସଂଖ୍ୟକ ଛୁଆ ମରିଯାଉଥିବା ଦେଖାଯାଉଛି। ତେଣୁ ବାଦୁଡି ଛୁଆଙ୍କୁ ବଞ୍ଚାଇବା ପାଇଁ ଜଙ୍ଗଲ ବିଭାଗକୁ ଗ୍ରାମବାସୀ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details