କେନ୍ଦୁଝର: ଜିଲ୍ଲାବାସୀଙ୍କ ହକ ଏବଂ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟିର ପଞ୍ଚମ ବାର୍ଷିକୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ଜିଲ୍ଲାବାସୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବକୁ ମଧ୍ୟ ନିନ୍ଦା କରାଯାଇଛି।
ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲା ଭାବେ କେନ୍ଦୁଝର ବେଶ ପରିଚିତ। ଏହି ଜିଲ୍ଲାକୁ ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାର ମୌଳିକ ଆବଶ୍ୟକତାକୁ ମଧ୍ୟ ରାଜ୍ୟ ସରକାର ପୂରଣ କରି ପାରିନାହାନ୍ତି। ଜିଲ୍ଲାବାସୀଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରିଯିବା ସହ ସେମାନଙ୍କ ହକ ଦେବା ପାଇଁ 2015ରେ ଆରମ୍ଭ ହୋଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର ମେଡିକାଲ କଲେଜ, ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା, ଡିଡି କଲେଜକୁ ଏକକ ମହାବିଦ୍ୟାଳୟ ଘୋଷଣା, କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସହ ଚମ୍ପୁଆ ଏବଂ ଆନନ୍ଦପୁର ସବଡିଭିଜନକୁ ରେଳ ଚଳାଚଳ ଆଦି 5 ଦଫା ଦାବି ନେଇ କମିଟି ପକ୍ଷରୁ ଆନ୍ଦୋଳନ ହୋଇଥିଲା । ବହୁ ବାଦ ବିବାଦ ପରେ ରାଜ୍ୟ ସରକାର ମେଡିକାଲ କଲେଜର ଘୋଷଣା କରିଥିଲେ। ଏଥିପାଇଁ ସରକାରୀ ରାଜକୋଷରୁ ବ୍ୟୟ ବରାଦ ନ କରି ଡିଏମଫ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିଲା।
ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସାରିଥିବାବେଳେ କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହା ଅସମ୍ପୂର୍ଣ୍ଣ ହୋଇ ପଡିଛି। ଏହାର ପ୍ରତିବାଦରେ କମିଟି ପକ୍ଷରୁ ବୈଠକ ଡକାଯାଇଥିଲା । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଏହି ଦାବି ଗୁଡିକୁ ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ