କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀମୃତ୍ୟୁ ଘଟଣା ଥମିବାର ନା ନେଉନାହିଁ । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜରେ । ଉକ୍ତ ଅଞ୍ଚଳରେ ଏକ ମାଈହାତୀ ଓ ହାତୀ ଶାବକର ମୃତ୍ୟୁ ହୋଇଛି । ତୀର ମାଡରେ ମାଈହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି(Elephant, calf found dead in Keonjhar) । ମୃତଦେହ ବ୍ୟବଚ୍ଛେଦ ବେଳେ ହାତୀ ପେଟରୁ ଭଙ୍ଗା ତୀର ବାହାରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀ ସହିତ ହାତୀ ଶାବକର ମୃତଦେହ ଠାବ ହୋଇଥିଲା । ମୃତ ଛୁଆ ଜନ୍ମ ଦେଇ ମାଆହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାବେଳେ, ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ମାଈ ହାତୀଟିକୁ ତୀର ମାଡ କରାଯାଇଥିଲା । ଯାହାଫଳରେ ହାତୀର ପାକସ୍ଥଳୀ ଦେଇ ଗର୍ଭାଶୟକୁ ତୀରଟି ଛୁଇଁଥିଲା । ମାଆହାତୀର ପେଟରେ ହାତୀ ଶାବକର ମୃତ୍ୟୁ ହୋଇଥିଲା । ଏହି କାରଣରୁ ମାଆହାତୀ ନିର୍ଦ୍ଧାରିତ ସମୟ ପୂର୍ବରୁ ମୃତହାତୀ ଶାବକକୁ ଜନ୍ମ ଦେଇ ଆଖି ବୁଜିଛି ।