କେନ୍ଦୁଝର: ଭଉଣୀର ଉଗ୍ର ରୂପ । ହାଣିଲା ନିଜେ ବି ଆତ୍ମହତ୍ୟା କଲା । ସାନ ଭଉଣୀକୁ କୁରାଢୀରେ ହାଣି ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ବଡ଼ ଭଉଣୀ । ଏଭଳି ଲୋକଟାଙ୍କୁରା ଘଟଣାଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗ୍ରାମର ଭୂୟାଁ ସାହିରେ । ଘରେ ବାପା ମା’ ନଥିବା ସମୟରେ ଭଉଣୀର ରକ୍ତରେ ହୋଲି ଖେଳିବା ପରେ ନିଜ ମଧ୍ୟ ରଶି ଲଗାଇ ଝୁଲିପଡିଥିଲେ ।
ତୁଚ୍ଛ ହେଲା ସମ୍ପର୍କ, ସାନ ଭଉଣୀକୁ ହତ୍ୟା ପରେ ଆତ୍ମହତ୍ୟା କଲା ବଡ଼ ଭଉଣୀ ବାପା ଭିକାରି ବେହେରା ଓ ତାଙ୍କ ସ୍ତ୍ରୀ ଗତକାଲି ଘରେ ଦୁଇ ଝିଅଙ୍କୁ ଛାଡି ବିଲକୁ କାମ କରିବା ପାଇଁ ଯାଇଥିବା ସମୟରେ ଏପରି କାଣ୍ଡ ଭିଆଥିଲା ବଡ ଭଉଣୀ । ତେବେ ଉଭୟ ବାପା ଓ ମା କାମ ସାରି ସନ୍ଧ୍ୟାରେ ଘରକୁ ଫେରି ଘର କବାଟ ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ । ଏଣୁ ଝିଅ ମାନେ ଶୋଇ ପଡିଥିବା ଭାବି କବାଟ ବାଡେଇ ଥିଲେ । ହେଲେ କେହି ନ ଖୋଲିବାରୁ ଝରକା ଫାଙ୍କରେ ଦେଖିବା ବେଳେ ଜଣେ ଝିଅ ଝୁଲୁଥିବାର ଦେଖିବାକୁ ପାଇଥିଲେ ।
ଏହାପରେ କବାଟ ଭାଙ୍ଗି ଘର ଭିତରେ ପଶି ଯାହା ଦେଖିଲେ ସେ ଉଭୟ ମଧ୍ୟ ବିଶ୍ବାସ କରିପାରିଲେ ନାହିଁ । ସାନଝିଅ ରୁକ୍ମିଣୀ ଦେହୁରୀର ବେକକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଥିଲା । ସେପଟେ ବଡ଼ଝିଅ କ୍ଷୀରମଣି ଦେହୁରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ । ତେବେ ବଡ଼ ଭଉଣୀ ଘର ଭିତରୁ ବନ୍ଦ କରି ପ୍ରଥମେ ସାନ ଭଉଣୀକୁ କୁରାଢ଼ୀରେ ହାଣି ମାରି ଦେବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ସାନ ଭୋଉଣୀକୁ ହତ୍ୟା କରି ନିଜେ ବଡ ଭଉଣୀ ଆତ୍ମହତ୍ୟା କଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ