ଓଡିଶା

odisha

ETV Bharat / state

ଧରାବତରଣ କରିବେ ମା' ଶ୍ୟାମାକାଳୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ବ୍ୟାସନଗର କାଳୀପୂଜା 2023

ରାତି ପାହିଲେ କାଳୀପୂଜା । ମା'ଙ୍କ ଆଗମନରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ମା'ଙ୍କ ଭବ୍ୟ ସ୍ବାଗତ କରିବା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

Diwali 2023
Diwali 2023

By ETV Bharat Odisha Team

Published : Nov 11, 2023, 8:58 PM IST

Diwali 2023

କେନ୍ଦୁଝର/ଯାଜପୁର:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ମା' କାଳୀ । ମା'ଙ୍କ ଆଗମନରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ମୂର୍ତ୍ତୀ କାରିଗର ମା'ଙ୍କ ମୂର୍ତ୍ତୀରେ ଶେଷ ସ୍ପର୍ଶ ଦେଇସାରିଲେଣି । ମା'ଙ୍କ ଭବ୍ୟ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହି ଅବସରରେ କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମଧ୍ୟ ପୂଜାମଣ୍ଡପ ଗୁଡିକର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାଳୀପୂଜା ଅବସରରେ ଉଭୟ ଜିଲ୍ଲାର ପ୍ରମୁଖ ପୁଜାମଣ୍ଡପରେ ସାଜ୍ଜସଜା ବେଶ ଆକର୍ଷଣୀୟ ଥିବା ବେଳେ କାଳୀ ପୂଜାକୁ ସୁନ୍ଦର ଭାବେ ଉପଭୋଗ ପାଇଁ ଚାହିଁ ରହିଛନ୍ତି କେନ୍ଦୁଝର ଓ ଯାଜପୁର ଜିଲ୍ଲାବାସୀ ।

ରାଜାରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀ ତୀର୍ଥ ପୂଜା କମିଟି ପକ୍ଷରୁ କାଳୀ ପଡ଼ିଆରେ ହୋଇଆସୁଥିବା କାଳୀପୂଜା ଚଳିତ ବର୍ଷ ୮୩ବର୍ଷରେ ପଦାର୍ପଣ କରିଛି । ବାଣେଶ୍ବର ମହେଶ ସାଂସ୍କୃତିକ କମିଟି ପକ୍ଷରୁ ଚଳିତ ବର୍ଷ ୧୩ ତାରିଖରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଷ୍ଟଲରେ ମୀନାବଜାର ଆୟୋଜନ ସହ ଖାଦ୍ୟ ଓ ହସ୍ତଶିଳ୍ପ ମେଳାର ଆୟୋଜନ ହେବ । ସବୁବର୍ଷ ପରି ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ସ୍ପର୍ଶରେ ମା'ଙ୍କ ମୂର୍ତ୍ତୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେହିପରି ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା'କାଳୀ ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ଚଳିତ ବର୍ଷ ୫୫ ବର୍ଷରେ ପଦାର୍ପଣ କରିଛି । ରୂପାରେ ନିର୍ମିତ ମା'ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିବ । କାଶୀପୁର ଶ୍ମଶାନ କାଳୀପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ରାଜସ୍ଥାନର ଯୋଧପୁର ସ୍ଥିତ ରାଜପ୍ରସାଦର ଅବିକଳ ସୁଦୃଶ୍ୟ ତୋରଣ ମୁଖ୍ୟ ଆକର୍ଷଣ ସାଜିବ । ଦୀର୍ଘ ୧୨ଦିନ ବ୍ୟାପୀ ଏହି ମେଳା ସହର ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ

ସେପଟେ ଯାଜପୁର ଜିଲ୍ଲା ବ୍ୟାସନଗର ମଧ୍ୟ ଦୀପାବଳି କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତ୍ୟେକ ପୂଜା ମଣ୍ଡପରେ ଚାଲିଛି ଯୋରଦାର ପ୍ରସ୍ତୁତି । ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସଜାଇବା ପାଇଁ ଲାଗି ପଡିଛନ୍ତି ବିଭିନ୍ନ କାରିଗର । ଚଳିତ ବର୍ଷ ବ୍ୟାସନଗର ପୌର ପରିଷଦରେ 15ଟି ଓ ଯାଜପୁର ସହର 55ରୁ ଊର୍ଦ୍ଧ୍ବ ପୂଜାମଣ୍ଡପରେ ପୂଜା ପାଇବେ ମା' କାଳୀ ଏବଂ ଲକ୍ଷ୍ମୀନାରାୟଣ । ପୂଜା ପାଇଁ ବ୍ୟାସନଗର ପୌରପାଳିକା ବିଭିନ୍ନ ପୂଜା ମଣ୍ଡପ ନିକଟ ପଡିଆରେ କମିଟି ପକ୍ଷରୁ ମୀନାବଜାର ଆୟୋଜନ କରାଯାଇଛି । କାଳୀପୂଜା ଓ ମେଳା ଉପଭୋଗ କରିବାକୁ ପ୍ରତ୍ୟେକ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା । ଏହି ପୂଜାକୁ ଉପଭୋଗ କରିବା ପାଇଁ ସହରବାସୀ ଅପେକ୍ଷା କରି ରହିଛନ୍ତି । ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଓ ଯାଜପୁର ପୋଲିସ ପକ୍ଷରୁ ପୂଜା କମିଟି ସହିତ ବୈଠକ ସରିଛି । ଶବ୍ଦ ପ୍ରଦୂଷଣକୁ ରୋକିବା, ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସେହିପରି ଚଳିତ ବର୍ଷ ଭସାଣି ଉତ୍ସବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର ଓ ଯାଜପୁର

ABOUT THE AUTHOR

...view details