ଓଡିଶା

odisha

ETV Bharat / state

ପରିବାର ପ୍ରତିପୋଷଣର ନୂଆ ପନ୍ଥା ‘ନଡିଆ ଲଡୁ’

ବଣ ଜଙ୍ଗଲ ଭରା ଜିଲ୍ଲାରେ ଆରାଧ୍ୟ ଦେବୀ ଭାବେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ତାରିଣୀ । ବିଭିନ୍ନ ମାନସିକ ନେଇ ମା’ଙ୍କ ପାଖରେ ନଡିଆ ଭୋଗ ଚଢାନ୍ତି ଲେକେ । ପୂର୍ବେ ଏହି ନଡିଆ ପୂଜା ପରେ ନଷ୍ଟ ହେଉଥିବା ବେଳେ ଏବେ ଏହା ଅନେକ ଲୋକଙ୍କ ପାଇଁ ସାଜିଛି ରୋଜଗାରର ମାଧ୍ୟମ ।

By

Published : May 11, 2019, 5:40 PM IST

Updated : May 11, 2019, 6:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବଣ ଜଙ୍ଗଲ ଭରା ଜିଲ୍ଲାରେ ଆରାଧ୍ୟ ଦେବୀ ଭାବେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ତାରିଣୀ । ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମେ ଘଟଗାଁରେ । ତେବେ ଏଠାରେ ଲୋକେ ବିଭିନ୍ନ ମାନସିକ ନେଇ ମା’ଙ୍କ ପାଖରେ ନଡିଆ ଭୋଗ ଚଢାନ୍ତି । ପୂର୍ବେ ଏହି ନଡିଆ ପୂଜା ପରେ ନଷ୍ଟ ହେଉଥିବା ବେଳେ ଏବେ ଏହା ଅନେକ ଲୋକଙ୍କ ପାଇଁ ସାଜିଛି ରୋଜଗାରର ପନ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗାଁ ଗହଳିରେ ମହିଳାମାନେ ଘରକାମ କରିବା ସହ ଏବେ ରୋଜଗାର ସ୍ବରୂପ ପ୍ରସ୍ତୁତ କରୁଛନ୍ତି ନଡିଆ ଲଡୁ । ଘଟଗାଁ ମନ୍ଦିର ତରଫରୁ ଟେଣ୍ଡରରେ ନଡିଆ ଆଣି ଗାଁ ଗାଁକୁ ଯୋଗାଯାଉଛି । ପରେ ଘରର ମହିଳାମାନେ ଏଥିରୁ ପ୍ରସ୍ତୁତ କରୁଛନ୍ତି ନଡିଆ ଘସା, ନଡିଆ ଲଡୁ ଓ ହାତରନ୍ଧା ନଡିଆ ତେଲ । ଯାହାର ଚାହିଦା ମଧ୍ୟ ବେଶ୍‌ ଅଧିକ ।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ପାରାଚୁଟ ଓ ଶାଲିମାର ଆଦି ବଡ ବଡ କମ୍ପାନୀଙ୍କର ମଧ୍ୟ ରହିଛି ଏହି ନଡିଆର ଚାହିଦା । ଫଳରେ ଘରେ ବସି ପେଟ ପାଇଁ ଦି ଓଳିର ଦାନା ଯୋଗାଡି ପାରୁଛନ୍ତି ଅନେକ ଲୋକ । କେବଳ ସେତିକି ନୁହେଁ ମନ୍ଦିର ବାହାରେ ନଡିଆରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ମଧ୍ୟ ବେଶ୍‌ ଲାଭବାନ ହେଉଛନ୍ତି ଦୋକାନୀ ।

ତେବେ ସମୟ କ୍ରମେ ମା’ଙ୍କ ପାଖରେ ଭୋଗ ଆକାରରେ ନଡିଆ ଲଡୁ ଓ ନଡିଆ କୋରା ମଧ୍ୟ ଲାଗିବା ଆରମ୍ଭ ହୋଇଛି । ଯାହା ଅନେକଙ୍କୁ ବ୍ୟବସାୟ ପାଇଁ ଏକ ଖୋରାକ ଯୋଗାଇଛି କହିଲେ କିଛି ଭୁଲ ହେବ ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : May 11, 2019, 6:37 PM IST

ABOUT THE AUTHOR

...view details