କେନ୍ଦୁଝର:ଗତ ୧୦ ତାରିଖରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲା ବିଜେପି । କେନ୍ଦୁଝର ସହରର ଗାନ୍ଧୀ ଛକରେ ଆଜି ପୂର୍ବାହ୍ନ ୧୦ଟାରୁ 6 ଘଣ୍ଟିଆ ଅଖଚକ ବନ୍ଦ ଡାକରା ଦେଇଥିଲା ବିଜେପି । ଫଳରେ ଉକ୍ତ ଛକରେ ଗାଡି ଚଳାଚଳ ବନ୍ଦ ରହିଥିଲା । ପରେ ଏହି ଆନ୍ଦୋଳନରେ ରାଜ୍ୟ ବିଜେପିର ୯ ଜଣ ବିଧାୟକ ମଧ୍ୟ ସାମିଲ ହୋଇଥିଲେ । ବିଧାୟକମାନେ ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ ।
ଏହି ଆଲୋଚନା ପରେ ଯଥାଶୀଘ୍ର ଦୋଷୀକୁ ଧରିବାକୁ ଏସପି ସମୟ ଦେବା ସହ ସିସିଟିଭିରୁ ମିଳିଥିବା ଫୁଟେଜ ଅନୁସାରେ ଫଟୋ ଜାରି କରାଯିବ ବୋଲି ଏସପି ଆଲୋଚନା ପରେ ପ୍ରକାଶ କରିଥିଲେ। ଏସପିଙ୍କ ପ୍ରତିଶ୍ରୁତି ପରେ ବିଧାୟକ ମୋହନ ମାଝୀଙ୍କୁ ଅଧିକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ଦାବି ସହ ଆନ୍ଦୋଳନକୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ବୋଲି ବିଧାୟକମାନେ ସହମତି ପ୍ରକାଶ କରିଛନ୍ତି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ପୁଣି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି ।