କେନ୍ଦୁଝର: ଆଉ ଦିନ କେଇଟା ପରେ ଆସୁଛି ଗଣପର୍ବ ରଜ । ଏନେଇ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଆରମ୍ଭ ହୋଇଛି ପ୍ରସ୍ତୁତି । କିଏ ନୂଆ ଡ୍ରେସ କିଣୁଛି ତ କିଏ ପୂଜା ପର୍ବ ପାଇଁ ପାରମ୍ପରିକ ଜିନିଷ କିଣୁଛି । ତେବେ ଆଧୁନିକତା ଭିତରେ ହତାଦରର ଶିକାର ହେଉଛି ପ୍ରାଚୀନ ବାଉଁଶ କାରିଗରୀ । ପୂର୍ବେ ପର୍ବ ପର୍ବାଣୀରେ ଏହାର ବେଶ୍ ଚାହିଦା ରହୁଥିବା ବେଳେ ଏବେ ଏହା ଲୋକଙ୍କୁ ଆଉ ସେତେଟା ପସନ୍ଦ ଆସୁନି ।
ଏ ହେଉଛି ଜିଲ୍ଲାର ଟ୍ରାଫିକ ନିକଟସ୍ଥ ରାସ୍ତା କଡର ଦୃଶ୍ୟ । ଯେଉଁଠାରେ ବାଉଁଶ ପାତିଆରେ ତିଆରି କୁଲା, ଟୋକେଇ ଓ ପାଛିଆ ଆଦି ଧରି ଗ୍ରାହକଙ୍କ ଅପେକ୍ଷାରେ ଅନେଇ ବସିଛନ୍ତି କାରିଗର । ହେଲେ ଲୋକେ ଏହାକୁ ଆଡ ଆଖିରେ ବି ଦେଖୁନାହାନ୍ତି । ଏଥିସହ ରାସ୍ତାକଡରେ ଦୋକାନ ଲଗାଇବା ଦ୍ବାରା ଟ୍ରାଫିକ ଜାମ ହେଉଛି ବୋଲି କହି ତଡି ଦେଉଛନ୍ତି ପୋଲିସ । ବେଳେ ବେଳେ ଜିନିଷ ସବୁ ଉଠାଇ ଫିଙ୍ଗି ଦେଉଥିବାର ମଧ୍ୟ ଅଭିଯୋଗ କରିଛନ୍ତି କାରିଗର ।