କେନ୍ଦୁଝର: ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଥିବା କୋଚିଂ ସେଣ୍ଟର ଛାତ୍ରାବାସରେ ଘଟିଥିବା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଗତ ଶନିବାର ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ୩ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଠାରୁ ଅରମ୍ଭ କରି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟ ପ୍ରକାଶ ପାଇଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗଠନ ହୋଇଛି । ସବୁ ବ୍ଲକ ତହସିଲଦାର, ବିଡ଼ିଓ ଓ ବିଇଓଙ୍କୁ ନେଇ ଏହି ଟିମ ଗଠନ ହୋଇଛି ।
ଏହି ଟିମ ବିଭିନ୍ନ ସ୍ଥାନରେ ଗଢିଉଠିଥିବା କୋଚିଂ ସେଣ୍ଟରରେ ଥିବା ଛାତ୍ରାବାସ କିପରି ବ୍ୟବସ୍ଥା ଅଛି ତଦନ୍ତ କରିବ । ଏହାସହ କୋଚିଂ ସେଣ୍ଟର ଅନୁମତି ପତ୍ର ନେଇ ମଧ୍ୟ ତଦନ୍ତ କରିବ ଟିମ । ଏହା ସହ ଚମ୍ପୁଆ ଘଟଣାରେ ଛାତ୍ରଛାତ୍ରୀଙ୍କ ସରକାରୀ ସୁବିଧା ନେଇ ବିଭିନ୍ନ ଦିଗ ଗୁଡିକ ନେଇ ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଚମ୍ପୁଆ ବ୍ଲକ୍ ଶିକ୍ଷା ଅଧିକାରୀ ଚିଠିରେ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।
ତଦନ୍ତ ରିପୋର୍ଟ ଅନୁଯାୟୀ, ବଟକୃଷ୍ଣ ବିଦ୍ୟାପୀଠ ନାମରେ ଆବାସିକ କୋଚିଂ ସେଣ୍ଟର ଚାଲୁଥିବା ବେଳେ ୬ଟି ଛୋଟ କୋଠରିରେ ୧୧୬ ଜଣ ଅନ୍ତେବାସୀଙ୍କୁ ରଖାଯାଇଥିଲା । ଅନ୍ତେବାସୀଙ୍କୁ ଶୋଇବା ପାଇଁ ଖଟ ଦିଆଯାଇ ନ ଥିବାରୁ ସେମାନେ ତଳେ ବେଡସିଟ୍ ପକାଇ ଶୋଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଛାତ୍ରାବାସର ପରିବେଶ ଅତ୍ୟନ୍ତ ଅପରିଷ୍କାର ଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ବମ୍ପୁଆ ଏବିଇଓ ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ନରେନ୍ଦ୍ର କୁମାର ନାଏକ ତଦନ୍ତ କରିଥିଲେ । ଘଟଣା ପରେ ଅଭିଭାବକ ସେମାନଙ୍କର ପିଲାମାନଙ୍କୁ କୋଚିଂ ସେଣ୍ଟରରୁ ଘରକୁ ନେଇ ଯାଇଛନ୍ତି ।