କେନ୍ଦ୍ରାପଡା:ଗାଁ ନଦୀରେ ବୁଲୁଛି ୧୦ ଫୁଟ ଲମ୍ବର ମଣିଷଖିଆ ବଉଳା କୁମ୍ଭୀର । ଏତେ ବଡ କୁମ୍ଭୀରକୁ ଦେଖି ଛାନିଆ ହୋଇପଡିଛନ୍ତି ନଦୀକୂଳିଆ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶିମିଳିଆ ଗାଁ ନିକଟରେ ଥିବା ଗୋବରୀ ନଦୀରେ ଗତକାଲି(ମଙ୍ଗଳବାର) ଏହି କୁମ୍ଭୀର ଦେଖିବାକୁ ମିଳିଛି । ଏନେଇ ଗାଁ ଲୋକେ ବନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବନ କର୍ମଚାରୀ ପହଞ୍ଚି ନପାରିବା ସ୍ଥାନୀୟ ବାସିନ୍ଦା ଏବଂ ଗୃହପାଳିତ ପଶୁଙ୍କ ଜୀବନକୁ ବିପଦରେ ପକାଇଛି । ବନବିଭାଗ କର୍ମଚାରୀଙ୍କ ଏପରି ଖାମଖିଆଲ ମନୋଭାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ମୁତାବକ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଶିମିଳିଆ ଗାଁର କିଛି ଯୁବକ ଓ ବୟସ୍କ ଲୋକେ ଗୋବରୀ ନଦୀରେ ଗାଧୋଉଥିବାର ବେଳେ ଏକ ବିରାଟକାୟ କୁମ୍ଭୀର ଲୋକଙ୍କ ପାଖକୁ ମାଡି ଆସୁଥିବାର ସେମାନେ ଦେଖିଥିଲେ । ଏହାପରେ ସମସ୍ତେ ଭୟରେ ଚିତ୍କାର କରି ପାଣି ଭିତରୁ ଉପରକୁ ଉଠି ଆସିଥିଲେ । ହୋହଲ୍ଲା ଶୁଣି ଗାଁର ଅନ୍ୟ ଲୋକମାନେ ମଧ୍ୟ ନଦୀ କୂଳକୁ ଧାଇଁ ଆସିଥିଲେ । ଗାଁର ପୁରୁଷ, ମହିଳା, ପିଲାଠୁ ବୁଢା ସମସ୍ତେ କୁମ୍ଭୀର ଦେଖିବାକୁ ଭିଡ଼ ଲଗାଇଥିଲେ । ପରେ ଗ୍ରାମବାସୀମାନେ ମିଶି କୁମ୍ଭୀରକୁ ଘଉଡାଇ ଦେବାକୁ ଉଦ୍ୟମ କରିଥିଲେ ହେଲେ ନଦୀରେ ଥିବା ଘଞ୍ଚ ଦଳ ମଧ୍ୟରେ କୁମ୍ଭୀରଟି ଲୁଚି ଯାଇଛି । ଏହାକୁ ନେଇ ନଦୀ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।