କେନ୍ଦ୍ରାପଡା:ଦୁର୍ନୀତି ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଧୂମାତବାସୀ । ଦିନରେ ଲଣ୍ଠନ ଧରି ଷ୍ଟ୍ରିଟ ଲାଇଟ ଦାବି କରିଛନ୍ତି ଧୂମାତବାସୀ । ଏନେଇ ଲୋକଙ୍କ ସମାଧାନ ବଦଳରେ ଅଭିଯୋଗକାରୀଙ୍କ ଉପରେ ଗର୍ଜିଲେ ବିଡିଓ । ତେବେ ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ବ୍ଳକ ପରିସରରେ ଦେଖିବାକୁ ମିଳିଥିଲା ଏଭଳି ରୋଚକ ଦୃଶ୍ୟ । ବହୁ ଚର୍ଚ୍ଚିତ କେନ୍ଦ୍ରାପଡାର ଧୂମାତ ପଞ୍ଚାୟତର ପାଖାପାଖି ୬୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ବ୍ଲକ ପରିସରରେ ଜମା ହୋଇ ପଞ୍ଚାୟତର ଲାଇଟ କିଣା ଦୁର୍ନୀତିର ପ୍ରତିବାଦ ସ୍ବରୂପ ଲଣ୍ଠନ ଆଣି ପ୍ରତିବାଦ କରିଥିଲେ ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ସରପଞ୍ଚ ଷ୍ଟ୍ରିଟ ଲାଇଟ ଲଗାଇବା ପ୍ରତିବଦଳରେ ପୁରୁଣା ବଲବ ସଜାଡି ଲକ୍ଷାଧିକ ଟଙ୍କାର ବାଟମାରଣା କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ୧୦ରୁ ୨୦ ହଜାର ଟଙ୍କା ଦାବି କରାଯାଉଛି ଓ ଯେଉଁ ହିତାଧିକାରୀ ଟଙ୍କା ଦେବାକୁ ଅସମର୍ଥ ହେଉଛନ୍ତି ସେମାନଙ୍କ ନାମ ଲିଷ୍ଟରୁ ଚଞ୍ଚକତା କରି କାଟି ଦିଆଯାଉଛି । ଯାହାକି ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକେ ପାଲ ଟାଣି ରହୁଛନ୍ତି ।