କେନ୍ଦ୍ରାପଡା: ଆମର ଦରକାର ସେହି ସାର୍ । ଏଭଳି ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରେ ଧାରଣାରେ ବସିଛନ୍ତି ଶହଶହ ଛାତ୍ରଛାତ୍ରୀ । ଆଉ ମାତ୍ର କିଛି ମାସ ପରେ ମାଟ୍ରିକ ପରୀକ୍ଷା । ସହରର ସର୍ବ ପୁରାତନ ତଥା ଏକଦା ଶିକ୍ଷା କ୍ଷେତ୍ରରେ ନାମ ଓ ଯଶ ଲାଭ କରିଥିବା କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲର ଛାତ୍ରଛାତ୍ରୀ ଆନ୍ଦୋଳନରେ ।
ଆଉ ଏହାର କାରଣ ହେଉଛି ସରକାରଙ୍କ ମନୋମୁଖୀ ଶିକ୍ଷକ ବଦଳି ପ୍ରକ୍ରିୟା । ଗତ ୩ମାସ ତଳେ ପ୍ରଧାନଶିକ୍ଷକଙ୍କ ଅବସର ସମୟରେ ବିଦ୍ୟାଳୟରୁ ତିନିଜଣ ଶିକ୍ଷକଙ୍କ ବଦଳି ହୋଇଥିଲା । ପାଠପଢ଼ାରେ ବ୍ୟାଘାତ ହୋଇଥିଲେ ହେଁ ଛାତ୍ରଛାତ୍ରୀ ପାଠ ପଢିଥିଲେ । କିନ୍ତୁ ଗତ ଶନିବାର ଦିନ ଏହି ବିଦ୍ୟାଳୟରୁ ପୁନଶ୍ଚ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ହେବାପରେ ବୁଧବାର ଏହା ଆନ୍ଦୋଳନ ରୂପ ନେଇଛି ।
ଛାତ୍ରଛାତ୍ରୀ ଶିକ୍ଷକ ମାନଙ୍କୁ ଫେରାଇ ଆଣିବା ଓ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି । ଗତ ଶନିବାର ଦିନ ବିଦ୍ୟାଳୟର ଶିକ୍ଷକ ପବିତ୍ର ମୋହନ ଜେନା, କଳ୍ପନା ମିଶ୍ର, ବିତିକା ଦାସ, ରାଜଶ୍ରୀ ମିଶ୍ରଙ୍କୁ ବଦଳି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଉପରୋକ୍ତ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗଣିତ, ଇଂରାଜୀ ଓ ବିଜ୍ଞାନ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟର ଶିକ୍ଷକ ଥିଲେ ।