କେନ୍ଦ୍ରାପଡା: ରତ୍ନମଣ୍ଡପରୁ ବାହାରି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜୀଉ । ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ପୂଜାବିଧି କରାଯାଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀଉଙ୍କ ସ୍ନାନ ଉତ୍ସବରେ ସମସ୍ତ ନୀତିକାନ୍ତି ଭୋରରୁ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକପଣ୍ଡାମାନେ ଧାଡିପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା । ଏହା ପରେ ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କୁ ୧୦୮ କଳସୀ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା ।
ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ମସ୍ତକ ଉପରେ ଜଳ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ତିନିଠାକୁରଙ୍କ ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ଶ୍ରୀଜୀଉଙ୍କୁ ଧାଡି ପହୁଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଛି ।
ତୁଳସୀକ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୁଳ ହୋଇ ୧୪ଟି ଚକ ୭ଟି ଅଖରେ ଯୋଚାଯାଇ ଥାଏ । ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇ ରଥ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ । ଆଉ ସ୍ନାନ ମଣ୍ଡପରେ ଶ୍ରୀବଳଦେବ ଜୀଉ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ସୋମବାର ଶ୍ରୀଜୀଉମାନେ ମହାସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ଘରେ ଚିକିତ୍ସିତ ହେବେ । ଆସନ୍ତା ଜୁଲାଇ ୨ ତାରିଖରେ ନବଯୌବନ ପରେ ଜନ୍ମବେଦୀକୁ ରଥରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ