କେନ୍ଦ୍ରାପଡା: ଜିଲ୍ଲା ଜଜାଙ୍ଗ ଏସପି ଅଫିସ ନିକଟରେ ସଡକ ଦୁର୍ଘଟଣା । ବାଇକ-ପିକଅପ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ ଆରୋହୀଙ୍କ ବାମ ଗୋଡ଼ ଛିଡି ଯାଇ ପ୍ରାୟ 20ଫୁଟ ଦୂରରେ ପଡ଼ିଥିଲା । କଟା ଗୋଡ଼ ନେଇ ମେଡିକାଲରେ ପହଞ୍ଚିଲେ ରୋଗୀ । ବୁଧବାର ସନ୍ଧ୍ୟାରେ ହୋଇଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ତେବେ ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସମାଗମ ହୋଇଥିଲା । ଏହାପରେ ସଙ୍ଗେସଙ୍ଗେ ଯୁବକଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାସହ ଛିଣ୍ଡି ଯାଇଥିବା ଗୋଡକୁ ସ୍ଥାନୀୟ ଲୋକେ ଏକ ଜରିରେ ଭର୍ତ୍ତି କରି ହସ୍ପିଟାଲକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉତ୍ତମ ଚିକିତ୍ସା ପାଇଁ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପ୍ରକୃତ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ଘର ଆଳି ଅଞ୍ଚଳର ବୋଲି ଜଣାପଡିଛି ।
ତେବେ କଟକ ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା ନୂଆ କଥା ହୋଇନଥିବା ବେଳେ ଏଥିପାଇଁ ପରିବହନ ବିଭାଗ ସଜାଗ ହେଉନଥିବାରୁ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ଦୁର୍ଘଟଣା ଘଟୁଛି । ପୂର୍ବରୁ କଟା ପାପୁଲି ଓ କଟା ହାତ ଯୋଡି କଟକ ବଡ଼ ଡ଼ାକ୍ତରଖାନା ଏକ ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତଥର ପୁଣି ସର୍ଜ୍ଜରୀ ଟିମ ଦ୍ୱାରା ସାଧିତ ହୋଇପାରେ ବୋଲି ଆଶା ରଖାଯାଇଛି।