ଓଡିଶା

odisha

ETV Bharat / state

ପ୍ରଶାସନ ଭାଙ୍ଗିଦେଲା ସରକାରୀ ଜମିରେ ଥିବା ଘର, ଖୋଲା ଆକାଶ ତଳେ ବିତୁଛି ଜୀବନ - ବାଉଁଶ ବୁଦା ମୂଳ ପାଲଟିଛି ଆଶ୍ରୟସ୍ଥଳ

ଖୋଲା ଆକାଶ ତଳେ ପରିବାର । ପେଟରେ ତିନି ମାସର ଶିଶୁ । ତଥାପି ପ୍ରଶାସନର କୋପରୁ ବର୍ତ୍ତି ପାରିନାହାନ୍ତି ସସ୍ମିତାଙ୍କ ପରିବାର । ସରକାରୀ ଜାଗାରେ ଘର କରିଥିବାରୁ ଘରେ ନଥିବାବେଳେ ପ୍ରଶାସନ ଜେସିବି ଲଗାଇ ଘର ଭାଙ୍ଗି ଦେଇଛି । ଫଳରେ ଦାନା ଗଣ୍ଡାଏ ମଧ୍ୟ ବଞ୍ଚାଇ ପାରିନାହିଁ ଏହି ହତଭାଗ୍ୟ ପରିବାର । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ...

ପ୍ରଶାସନ ଭାଙ୍ଗିଦେଲା ସରକାରୀ ଜମିରେ ଥିବା ଘର, ଖୋଲା ଆକାଶ ତଳେ ସନୱରୀଙ୍କ ପରିବାର
ପ୍ରଶାସନ ଭାଙ୍ଗିଦେଲା ସରକାରୀ ଜମିରେ ଥିବା ଘର, ଖୋଲା ଆକାଶ ତଳେ ସନୱରୀଙ୍କ ପରିବାର

By

Published : Jul 8, 2020, 2:20 PM IST

Updated : Jul 8, 2020, 6:09 PM IST

କେନ୍ଦ୍ରପଡା: ଭାଙ୍ଗି ଯାଇଛି ଘର, ଉଜୁଡି ଯାଇଛି ପରିବାର । ବାଉଁଶ ବୁଦା ମୂଳ ପାଲଟିଛି ଆଶ୍ରୟସ୍ଥଳ । ରୋଷେଇ କରି ଖାଇବା ପାଇଁ ନା ଅଛି ଚୁଲି, ନା ଅଛି ଚାଉଳ । କେନ୍ଦ୍ରାପଡା ଡେରାବିଶ୍ ତହସିଲ ଅଧିନ ଚାଟରା-ଚକଡା ଗାଁର ସନୱରୀ ବେଗମ ଓରଫ ସସ୍ମିତା ବେହେରାଙ୍କ ସରକାରୀ ଜମିରେ ଥିବା ଘରକୁ, ସରକାର ଭାଙ୍ଗିଦେବା ପରେ ବାଉଁଶ ବୁଦାମୂଳ ତାଙ୍କ ପାଇଁ ସାହାରା ପାଲଟିଛି ।

ପ୍ରଶାସନ ଭାଙ୍ଗିଦେଲା ସରକାରୀ ଜମିରେ ଥିବା ଘର, ଖୋଲା ଆକାଶ ତଳେ ବିତୁଛି ଜୀବନ

ଛୋଟ ଝିଅ ଓ ସ୍ବାମୀଙ୍କୁ ଧରି ତିନି ମାସର ଗର୍ଭବତୀ ଥିବା ସସ୍ମିତା ଅସହାୟ ହୋଇପଡିଛନ୍ତି । ପ୍ରଥମେ ହିନ୍ଦୁ ପୁଅକୁ ବାହା ହେବାରୁ ଉଭୟଙ୍କ ପରିବାର ଲୋକେ ପଚାରୁନଥିବାବେଳେ ସରକାରୀ ଜମିରେ ଥିବା ଅସ୍ଥାୟୀ ଘର ଭଙ୍ଗାଯିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସବୁଠାରୁ ବଡକଥା ହେଉଛି ସେ ଡାକ୍ତରୀ ଚେକଅପ୍‌ କରିବାକୁ ଯାଇଥିବା ସମୟରେ ତାଙ୍କ ଘର ଉପରେ ବୁଲଡୋଜର ଚଲାଇଥିବାରୁ ସେ କୌଣସି ଜିନିଷ ମଧ୍ୟ ରଖିପାରିନାହାଁନ୍ତି ।

ସେପେଟ ସ୍ଥାନୀୟ ଜଣେ ସଙ୍ଗଠନ ସଭାପତି ସସ୍ମିତାଙ୍କ ସ୍ବାମୀଙ୍କୁ ଚାନ୍ଦା ମାଗି ବିଫଳ ହେବା ପରେ କିଛିଦିନ ତଳେ ସେଠାରୁ ଉଠିଯିବା ନେଇ ଧମକ ଦେଇଥିଲେ ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏହାସହ ଉକ୍ତ ବ୍ୟକ୍ତି ହିଁ ତହସିଲଦାରଙ୍କ ସହିତ ମିଶି ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ସରକାରୀ ଜମି ଉପରେ ଜବରଦଖଲ କରିଥିବାରୁ ଏହାକୁ ହଟାଇବା ପାଇଁ ପୂର୍ବରୁ ସସ୍ମିତାଙ୍କୁ ନୋଟିସ୍‌ ଦିଆଯାଇଥିଲା । ହେଲେ ସେ, କିଛି ସମୟ ମାଗିଥିବାବେଳେ ପ୍ରଶାସନ ଏହାକୁ ନଶୁଣି ଘର ଭାଙ୍ଗି ଦେଇଛି । ଏଠାରେ ପ୍ରଶାସନ ନିଜର ପରାକାଷ୍ଠା ଦେଖାଇଥିବାବେଳେ ଚାନ୍ଦୋଳ ବଜାରରେ ପ୍ରଶାସନର ଅନ୍ୟ ଏକ ରୂପ ଦେଖିବାକୁ ମିଳିଛି ।

ନିଜ ବାସ ଉପଯୋଗୀ ଜମି ଆଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାର ଅଭିଯୋଗ କରି ଦାମୋଦର ଦାସଙ୍କ ପରିବାର ଦୀର୍ଘ 5 ବର୍ଷ ହେବ ଜିଲ୍ଲା ପ୍ରଶାସନ ଦ୍ବାରସ୍ଥ ହେଉଥିଲେ ମଧ୍ୟ ସୁଫଳ ପାଉନାହାଁନ୍ତି । ଏପରିକି ଗତ 2018 ମସିହା ମାର୍ଚ୍ଚ ମାସରେ ଅନଶନ ମଧ୍ୟ କରିଥିବାବେଳେ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ତେବେ ଉପଜିଲ୍ଲାପାଳ ଉଚ୍ଛେଦ ପାଇଁ ନୋଟିସ୍‌ ଦେଇଥିଲେ ବି ତହସିଲଦାର ଏହାକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହେଉଛି ।

ତେବେ ଏହି ଦୁଇଟି ଘଟଣାକୁ ଦେଖିଲେ ପ୍ରଶାସନର ଦୋମୁହାଁ ନୀତି ସାମ୍ନାକୁ ଆସୁଛି । ପ୍ରଭାବଶାଳୀ ଲୋକଙ୍କ ପାଇଁ ଗୋଟିଏ ନିୟମ ଓ ଅସହାୟଙ୍କ ପାଇଁ ଗୋଟିଏ ନିୟମ କାର୍ଯ୍ୟକାରୀ ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 8, 2020, 6:09 PM IST

ABOUT THE AUTHOR

...view details