ଓଡିଶା

odisha

ETV Bharat / state

ସ୍ବାବଲମ୍ବୀର ସଂଜ୍ଞା ବଦଳାଇଲେ ରେଶମା, ୫୦ ମହିଳାଙ୍କୁ ଦେଲେଣି ରୋଜଗାର - ମହିଳା ଦିବସ ସ୍ବତନ୍ତ୍ର

କୁହାଯାଏ "ଇଛା ଥିଲେ ଉପାୟ ଆପେଆପେ ଆସେ।" ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଜଣେ କର୍ମନିପୁଣା ମହିଳା।ଦିନେ ବିଭିନ୍ନ ପ୍ରକାର ଅଭାବ ଅସୁବିଧା ପାଇଁ ଅନ୍ୟ ପାଖରୁ ଉଦ୍ଧାର କରୁଥିବା ମହିଳା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ନୂତନ ପରିଚୟ ପ୍ରଦାନ କରିଛନ୍ତି ସଂଖ୍ୟାଲଘୁ ମହିଳା ରେଶମା ବେଗମ।

ସ୍ବାବଲମ୍ବୀ ରେଶମା ବେଗମ୍, ୫୦ ମହିଳାଙ୍କୁ ଦେଲେଣି ଆତ୍ମନିଯୁକ୍ତି
ସ୍ବାବଲମ୍ବୀ ରେଶମା ବେଗମ୍, ୫୦ ମହିଳାଙ୍କୁ ଦେଲେଣି ଆତ୍ମନିଯୁକ୍ତି

By

Published : Mar 7, 2021, 6:04 PM IST

Updated : Mar 7, 2021, 7:01 PM IST

କେନ୍ଦ୍ରାପଡା: ରେଶମା ବେଗମ, ଅନୁନ୍ନତ ଗ୍ରାମାଞ୍ଚଳର ଏବେ ଚର୍ଚ୍ଚିତ ନାଁ। ନିଜେ ସ୍ୱାବଲମ୍ବୀ ହେବା ସହ ବର୍ତ୍ତମାନ ପାଖାପାଖି ୫୦ଜଣ ମହିଳାଙ୍କୁ ଆତ୍ମନିଯୁକ୍ତି ଦେଇ ପ୍ରଶଂସିତ ହୋଇପାରିଛନ୍ତି ରେଶମା। କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ଗୋଲରାହାଟ ସଂଖ୍ୟାଲଘୁ ବସ୍ତିର ରେଶମା ୨୦୧୭ ମସିହା ନଭେମ୍ବର ମାସରେ ୧୦ଜଣ ମହିଳାଙ୍କୁ ଏକାଠି କରି ସେମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସୁଦୃଢ଼ ହେବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ପ୍ରଥମେ ଡିଆଇସି ସହ ଯୋଗାଯୋଗ କରି ଚାନ୍ଦୁଆ ତିଆରି ତାଲିମ ନେଇଥିଲେ। ସେମାନେ ତାଲିମ ନେଇ ଚାନ୍ଦୁଆ ପ୍ରସ୍ତୁତ କରି ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି କରିବା ପରେ ଏହାର ଚାହିଦା ବୃଦ୍ଧି ପାଇଥିଲା। ପରେ ଏହି ଗାଁର ଉଭୟ ସମ୍ପ୍ରଦାୟର ଆଉ କିଛି ମହିଳାଙ୍କୁ ଏକଜୁଟ କରି ୨୦୧୮-୧୯ ମସିହାରେ ତାଲିମ ଗ୍ରହଣ କରି "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ" ଆରମ୍ଭ କରି ବର୍ତ୍ତମାନ ୫୦ଜଣରୁ ଉର୍ଦ୍ଧ୍ଵ ମହିଳାଙ୍କୁ ନେଇ ଏବେ ବିଭିନ୍ନ ପ୍ରକାର ଏମ୍ବ୍ରଡୋରୀ କାମ କରି ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିଛନ୍ତି।

ସ୍ବାବଲମ୍ବୀ ରେଶମା ବେଗମ୍ , ୫୦ମହିଳାଙ୍କୁ ଦେଲେଣି ଆତ୍ମନିଯୁକ୍ତି

ଏହି ମହିଳାମାନେ ଏବେ ବିଭିନ୍ନ ପ୍ରକାର ଏମ୍ବ୍ରଡୋରୀ କାମ ଯେମିତିକି ବେଡ଼ସିଟ,ତକିଆଖୋଳ,ଖଦି ରୁମାଲ,ଟସର ସାଲ,ଖଦି ବ୍ୟାଗ, କବାଟ ଓ ଝରକା ସ୍କ୍ରିନ, ସ୍କୁଲ ବ୍ୟାଗ,ଟେବୁଲ କ୍ଲଥ, ଏମ୍ବ୍ରଡୋରୀ ଶାଢ଼ୀ ଇତ୍ୟାଦି ତିଆରି କରିବା ସହ ମାସିକ ୪-୫ ହଜାର ଟଙ୍କା ରୋଜଗାର କରଛନ୍ତି। ତେବେ ରାଜ୍ୟ ବାହାରେ ଏହି ଏମ୍ବ୍ରଡୋରୀ କାମର ଯଥେଷ୍ଟ ଚାହିଦା ରହିଛି।

କେବଳ ସେତିକି ନୁହେଁ ରେଶମାଙ୍କ ପ୍ରଚେଷ୍ଟାରେ ଉତ୍ପାଦିତ ହେଉଥିବା ସାମଗ୍ରୀର ବିକ୍ରୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରଦର୍ଶନୀକୁ ଧାଇଁ ଯାଇଥାନ୍ତି ରେଶମାଙ୍କ ସହ ତାଙ୍କର ସହଯୋଗୀ ଓ ତାଙ୍କ ସ୍ୱାମୀ। ବିଭିନ୍ନ ରାଜ୍ୟରେ ଏହି କାମ ପାଇଁ ସେ ସାର୍ଟିଫିକେଟ ପାଇଥିବା ବେଳେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।

ଅପରପକ୍ଷରେ ଏହି କାମ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଜିଲ୍ଲାରେ ମିଳୁନଥିବାରୁ ଛୁଞ୍ଚି ଠାରୁ ସୂତା ପର୍ଯ୍ୟନ୍ତ ସମସ୍ତ ଜିନିଷ ପାଇଁ ରାଜଧାନୀ ଭୁବନେଶ୍ବରକୁ ଯିବାକୁ ପଡିଥାଏ ଯାହାକି ସମୟସାପେକ୍ଷ ଓ ବ୍ୟୟବହୁଳ ବୋଲି କୁହନ୍ତି ରେଶମା।

କେବଳ ସେତିକି ନୁହେଁ ୫୦ରୁ ଉର୍ଦ୍ଧ୍ଵ ମହିଳା କାମ କରିବା ପାଇଁ ଏହି ଛୋଟ ଘରେ ଜାଗାର ଅଭାବ ଓ ଆବଶ୍ୟକୀୟ ମେସିନ ନଥିବାରୁ ଅଳ୍ପ ସମୟ ମଧ୍ୟରେ ଅଧିକ କାମ କରିବା ଅସମ୍ଭବ ହୋଇପଡୁଛି ବୋଲି କୁହନ୍ତି ରେଶମା। ସରକାରଙ୍କ ନିକଟରେ ଦାବି କରିବା ସହ ଯଦି ସେମାନଙ୍କୁ ଏକ ଘର ଓ ଆଉକିଛି ମେସିନ ଯୋଗାଇ ଦିଆଯାଇପାରନ୍ତା ତେବେ ଆହୁରି ଅନେକ ମହିଳାଙ୍କୁ ସେ ଏଥିରେ ସାମିଲ କରି ରାଜ୍ୟ ସରକାରଙ୍କ "ମିଶନଶକ୍ତି" ଯୋଜନାକୁ ସଫଳ କରିପାରନ୍ତେ ବୋଲି କହିଛନ୍ତି।

ରେଶମା ଓ ତାଙ୍କ ଉତ୍ପାଦ ଗୋଷ୍ଠୀର ଅସୁବିଧା ସମ୍ପର୍କରେ ଓଡିଶା ଜୀବିକା ମିଶନର ଡେରାବିଶ୍ ବ୍ଲକ ଅଧିକାରିଣୀ ରତ୍ନମଞ୍ଜରୀ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଗୋଷ୍ଠୀଟି ଉତ୍ପାଦ ଗୋଷ୍ଠୀ ହୋଇଥିବାରୁ ଏହାକୁ ସିଧାସଳଖ ଋଣ ଦିଆଯାଇପାରିବ ନାହିଁ। କିନ୍ତୁ ସେମାନେ ସ୍ଥାନୀୟ ମହାସଂଘ ମାଧ୍ୟମରେ ଋଣ ନେଇ ସୁଝିପାରିବେ ଓ ତାଙ୍କୁ ୨ଲକ୍ଷ ଟଙ୍କା ଋଣ ଦିଆଯାଇଥିବା କହିଛନ୍ତି।

ଏଥିସହ ସେମାନଙ୍କୁ ଘର ଓ ମେସିନ ଉପକରଣ ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଯାହା ବ୍ୟବସ୍ଥା ଥିବ ତାହା କରାଯାଇପାରିବ ବୋଲି କହିଛନ୍ତି। ଦିନେ ଅନ୍ୟ ଉପରେ ନିର୍ଭର କରି ଚଳୁଥିବା ମହିଳା ମାନଙ୍କୁ ଆତ୍ମନିଯୁକ୍ତି ସହ ମାସିକ ହଜାର ହଜାର ଟଙ୍କା ରୋଜଗାରକ୍ଷମ କରାଇପାରିଥିବା ମହିଳା ରେଶମାଙ୍କ ପାଇଁ ସମଗ୍ର ନାରୀଜାତି ଆଜି ଗର୍ବିତ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Mar 7, 2021, 7:01 PM IST

ABOUT THE AUTHOR

...view details