ଓଡିଶା

odisha

ETV Bharat / state

ରାତିଅଧିଆ ରାସ୍ତାକାମ: ଲୋକେ ଯିବେ ନା ନବୀନ ଆସିବେ ?

ଭଲ ରାସ୍ତା ଖଣ୍ଡିଏ ପାଇଁ ଲୋକେ ଭୋଗନ୍ତି ଅସୁବିଧା । ବୃଥା ଯାଏ ଦାବି, ଆନ୍ଦୋଳନ, ଧାରଣା । ଶୁଣନ୍ତିନି ଅଧିକାରୀ । ହେଲେ କେଉଁଠି ପିଚୁ ଉପରେ ପିଚୁ । ରାତି ଅଧିଆ ପିଚୁ । ସରକାରୀ କଳର ଏହା ଅପବ୍ୟବହାର ନୁହେଁ ତ ? ସବୁ ପ୍ରସ୍ତୁତି କଣ ନବୀନଙ୍କ ନିର୍ବାଚନୀ ପ୍ରଚାର ପାଇଁ !

By

Published : Jul 17, 2019, 2:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ସରକାରୀ କଳର ଅପବ୍ୟବହାର । କେବଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମରାମତି ହେଲା ରାସ୍ତା । ଅନ୍ୟପକ୍ଷରେ ବର୍ଷାଦିନର ପ୍ରତିକୂଳ ପାଗ ସତ୍ତ୍ୱେ ପିଚୁ ହେବା ଓ ଏହି ରାସ୍ତା ଭଲ ଥିବାବେଳେ ଏହା ଉପରେ ଚାଦର ଢାଙ୍କିବା ଭଳି କାର୍ଯ୍ୟ କରିବା ଏକ ବିରାଟ ଦୁର୍ନୀତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧିନସ୍ଥ ଡେରାବିଶ୍ ବ୍ଲକ ବେଲାରପୁର ଛକ ଠାରୁ ସଦାନନ୍ଦପୁର ରାସ୍ତା । ପ୍ରତି ଛ'ମାସରେ ଏହି ରାସ୍ତାର ମରାମତି ନାମରେ କାମ ଚାଲୁଛି । କିନ୍ତୁ କେଉଁ ଯୋଜନା ଅନୁଯାୟୀ କେଉଁ ପ୍ରକଳ୍ପରେ କାର୍ଯ୍ୟ ହେଉଛି, ତାହା ଜନସାଧାରଣ ଜାଣିବା ପାଇଁ ଅସମର୍ଥ । କାରଣ ଏହି କାମ ହେଉଥିବାବେଳେ ନା ଥାଏ ପ୍ରକଳ୍ପର ନାମ ନା ଥାଏ କୌଣସି ଫଳକ । ସ୍ଥାନୀୟ ଜଣେ ଯୁବକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଲେଉଟିଆ କିଆରୀରେ ପରିଣତ ହୋଇଛି । ରାସ୍ତା ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହେଉଥିବା ମଧ୍ୟ ଅଭିଯୋଗ ହେଉଛି ।ଗତକାଲି ଦିନତମାମ ଏହି ରାସ୍ତା କାମ ଦ୍ରୁତ ଗତିରେ ଚାଲିବା ପରେ ରାତିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ବିନା ଉପସ୍ଥିତିରେ ନିର୍ମାଣ ହୋଇଛି ରାସ୍ତା । ଯାହାକି ରାତିର ଏହି ଦୃଶ୍ୟରୁ ସ୍ପଷ୍ଟ ପ୍ରମାଣିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାସ୍ତା କାମ ତଦାରଖ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଡେପୁଟି ଏକଜେକ୍ୟୁଟିଭ ଇଞ୍ଜିନିୟରଙ୍କୁ ପଚାରିବାରୁ ସେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେବା ପାଇଁ ଅମଙ୍ଗ ହୋଇଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କର ଅନୁରୋଧ ଫଳରେ ଏହି କାର୍ଯ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ବଡ଼ ଦୁର୍ଭାଗ୍ୟ ଯେଉଁ ରାସ୍ତା କାମ ତଦାରଖ କରିବାକୁ ବାବୁଜଣଙ୍କ ଆସିଥିଲେ ସେ କାମ ସମ୍ବନ୍ଧରେ ତାଙ୍କର ସମ୍ୟକ ଜ୍ଞାନ ନଥିବା ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡିଥିଲା। କେବଳ ଜନସାଧାରଣ ଦେଖିବା ପାଇଁ ଜଣେ ଉପରିସ୍ଥ ଅଧିକାରୀ ବସି ତଦାରଖ କରିବା ସାର ହୋଇଛି। ଅପରପକ୍ଷରେ ଏହି କାମକୁ ନେଇ କେଉଁ ପ୍ରକାରର ଅନିୟମିତତା ହୋଇଛି, ସେ ସମ୍ପର୍କରେ ଜବାବ ତଲବ କରାଯିବ ଓ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।


ଗୋଟିଏ ପଟେ ରାସ୍ତା ଖଣ୍ଡିଏ ପାଇଁ ବାରମ୍ବାର ଅନୁରୋଧ, ଦାବି ଓ ଭୋଟ ବର୍ଜ୍ଜନ ନିଷ୍ପତ୍ତି ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ଧାରରେ ପିଚୁ ଉପରେ ପିଚୁ କରିବା ସରକାରୀ କଳର ଅପବ୍ୟବହାର ବୋଲି ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details