କେନ୍ଦ୍ରାପଡା:କେନ୍ଦ୍ରାପଡା ଜିଲ୍ଲା ପୋଇପାଟ ଗଣଦୁଷ୍କର୍ମ ଘଟଣାର ୪ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ୨୦୧୯ ମସିହା ଜୁନ୍ ମାସ ୨୮ ତାରିଖ ମଧ୍ୟ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପୋଇପାଟ ଗାଁରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ୍ଵର ସାହୁକୁ ଗିରଫ କରିଛି ଆଳି ପୋଲିସ ।
ଘଟଣାକୁ ରୂପରେଖ ଦେଇ ସାରିବା ପରେ ମହେଶ୍ଵର ସାହୁ ପୋଲିସକୁ ଚକମା ଦେଇ ଫେରାର୍ ହୋଇ ଯାଇଥିଲା । ପୋଲିସ ମହେଶ୍ଵର ନାମରେ ୱାରେଣ୍ଟ ଜାରି କରିଥିଲା । ହେଲେ ଗତ ରବିବାର ଦିନ ନିଜ ମା'ର ଦଶାହ କର୍ମରେ ଯୋଗ ଦେବାକୁ ଆସି ନିଜ କଳସପୂର ଗାଁରୁ ଆଳି ପୋଲିସ ହାତରେ ଧରା ପଡିଛି ମହେଶ୍ଵର । ମହେଶ୍ଵରକୁ ଗିରଫ କରି ପୋଲିସ SDJMଙ୍କ କୋର୍ଟରେ ହାଜର କରିଥିଲା । ସେଠାରେ ତାର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମହେଶ୍ୱରକୁ ବାରିମୂଳସ୍ଥିତ ଜିଲ୍ଲା ଉପ କାରଗାର ଜେଲକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଏକ ଜମିଜମା ଗଣ୍ଡଗୋଳରୁ ଆକ୍ରୋଶ ରଖି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ମହେଶ୍ଵର କିଛି ଅସାମାଜିକ ଲୋକଙ୍କୁ ନିୟୋଜିତ କରିବା ସହ ନିଜେ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୀଡିତାଙ୍କ ସ୍ଵାମୀ ଏତଲାରେ ମୋଟ ୭ ଜଣଙ୍କ ନାମ ଉଲ୍ଲେଖ କରିଥିଲେ । ସେମାନଙ୍କ ମଧ୍ୟରେ ମହେଶ୍ବର ସାହୁ ଏବଂ ତାଙ୍କ ସ୍ତ୍ରୀ ଝରଣା ସାହୁଙ୍କ ନାମ ମଧ୍ୟ ରହିଥିଲା । ତେବେ ମହେଶ୍ଵର ଓ ତାଙ୍କ ସ୍ତ୍ରୀ ଝରଣା ଫେରାର ଥିବାବେଳେ ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ମଲ୍ଲିକକୁ ଜେଲ ଦଣ୍ଡ ହୋଇଛି ।