ଓଡିଶା

odisha

ETV Bharat / state

ଆନ୍ଦୋଳନ ସ୍ଥାନରେ ଗୋବର ପାଣି ପକାଇଲା BJD, ସାଧାରଣରେ କଡା ସମାଲୋଚନା - କେନ୍ଦାପଡା ଆନ୍ଦୋଳନ

କେନ୍ଦ୍ରାପଡାରେ ଆନ୍ଦୋଳନ ପରେ ତେଜିଛି ଆଉ ଏକ ଅସନ୍ତୋଷ । ଶାସକଦଳର କର୍ମୀମାନେ ଆନ୍ଦୋଳନ ସରିବା ପରେ ସେଠାରେ ଗୋବର ପାଣି, ଗଙ୍ଗା ପାଣି ପକାଇ ଝାଡୁ କରିବାକୁ ପ୍ରବଳ ବିରୋଧ । ଅଧିକ ପଢନ୍ତୁ...

ଆନ୍ଦୋଳନ ସ୍ଥାନରେ ଗୋବର ପାଣି ପକାଇଲା ବିଜେଡି, ସାଧାରଣରେ କଡା ସମାଲୋଚନା
ଆନ୍ଦୋଳନ ସ୍ଥାନରେ ଗୋବର ପାଣି ପକାଇଲା ବିଜେଡି, ସାଧାରଣରେ କଡା ସମାଲୋଚନା

By

Published : Aug 5, 2021, 10:17 AM IST

କେନ୍ଦ୍ରାପଡା: ଆନ୍ଦୋଳନ ପରେ ତେଜିଛି ଆଉ ଏକ ଅସନ୍ତୋଷ । କେନ୍ଦ୍ରାପଡାରେ ରିଲିଫ୍ ସାମଗ୍ରୀ ବଣ୍ଟନରେ ହେରଫେର୍ ଅଭିଯୋଗରେ କଂଗ୍ରେସ ଏବଂ ଶହ ଶହ ଜନ ସାଧାରଣ ଆନ୍ଦୋଳନ କରିଥିଲା । ରାଜନଗର ବିଡିଓ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ଓହରିଥିଲା । ଏହାପରେ ଖୋଦ୍ ଶାସକ ଦଳ ଅର୍ଥାତ୍ ବିଜେଡି କର୍ମୀ ସେଠାରେ ପହଞ୍ଚି ଗୋବର ପାଣି, ଗଙ୍ଗାପାଣି ପକାଇ ଝାଡୁ କରିବାକୁ ନେଇ ଉଠିଛି ପ୍ରବଳ ଜନ ଅସନ୍ତୋଷ ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ୟସ କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ଖାଦ୍ୟକୁ ପ୍ରଶାସନିକ ଅଧିକାରୀ, ସରପଞ୍ଚ ଓ ସଭ୍ୟ ନବାଣ୍ଟି ଏହାକୁ ପୋଡିବା ଓ ପୋତିଦେବାକୁ ନେଇ କଂଗ୍ରେସ ରାଜନଗର ବିଡ଼ିଓଙ୍କୁ ଘଟଣାର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରିଥିଲା । ମାତ୍ର ଉକ୍ତ ଘଟଣାକୁ ସପ୍ତାହେ ବିତିଯାଇ ଥିବାବେଳେ କୌଣସି ତଦନ୍ତ କିମ୍ବା ପଦକ୍ଷେପ ନିଆ ନଯିବାରୁ ବାଧ୍ୟହୋଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା । ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶହ ଶହ ଜନସାଧାରଣ ବାଘମାରୀ ପଞ୍ଚାୟତ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।

ଏହାପରେ ଘଟଣାସ୍ଥଳରେ ରାଜନଗର ବିଡ଼ିଓ ପହଞ୍ଚି ଖୁବଶୀଘ୍ର ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ପ୍ରତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲା କଂଗ୍ରେସ ।

ତେବେ ଆନ୍ଦୋଳନକାରୀ ଆନ୍ଦୋଳନ ଶେଷ କରିବାର ମାତ୍ର କେଇଘଣ୍ଟା ପରେ ଠିକ ସେହି ସ୍ଥାନରେ ଦେଖିବାକୁ ମିଳିଥିଲା ଅନ୍ୟଏକ ହାଇ ଭୋଲ୍ଟେଜ ଡ୍ରାମା । ଶାସକ ଦଳର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ସମର୍ଥକମାନେ କଂଗ୍ରେସ କରିଥିବା ଆନ୍ଦୋଳନ ସ୍ଥାନ ଅର୍ଥାତ ବାଘମାରୀ ପଞ୍ଚାୟତ ସମ୍ମୁଖକୁ ଗୋବରପାଣି ପକାଇ ଓ ଝାଡୁ କରି ଉକ୍ତ ସ୍ଥାନକୁ ପବିତ୍ର କରାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଉ ଏକ ଅସନ୍ତୋଷ ସୃଷ୍ଟି ହୋଇଛି କେନ୍ଦ୍ରାପଡାରେ । କାରଣ ସାଧାରଣତଃ ଓଡ଼ିଆ ଘରେ କୌଣସି ଅଶୌଚ କିମ୍ବା କାହାର ମୃତ୍ୟୁ ଘଟିଲେ ମୃତଦେହ ଶ୍ମଶାନକୁ ଯିବାପରେ ସେହି ସ୍ଥାନରେ ଗୋବର ପାଣି, ଗଙ୍ଗାପାଣି ପକାଯାଇ ଝାଡୁ କରାଯାଇଥାଏ ।

ରାଜନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକୁ ନେଇ ଜିଲ୍ଲାର ରାଜନୈତିକ ବାତାବରଣ ହଟଚମଟ ହୋଇଛି । ଅନ୍ୟପଟେ ଗତବର୍ଷ ବାତ୍ୟା ସମୟରେ କେନ୍ଦ୍ରାପଡ଼ା ବ୍ଲକରେ ଏହିଭଳି ଖାଦ୍ୟ ସାମଗ୍ରୀ ବଣ୍ଟନ କରାନଯାଇ ନଷ୍ଟ କରାଯାଇଥିବା ଅଭିଯୋଗ ମିଳିବା ପରେ ସଙ୍ଗେସଙ୍ଗେ ବିଡ଼ିଓଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା ବେଳେ ଚଳିତ ୟାସ ବାତ୍ୟାରେ ସମାନ ଭୁଲ ଆପଣାଇଥିବା ପ୍ରଶାସନିକ ଅଧିକାରୀ, ସରପଞ୍ଚ ଏବଂ ସମିତିସଭ୍ୟଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଏତେ ଉଦାରଭାବ କାହିଁକି ପୋଷଣ କରୁଛି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details