ଓଡିଶା

odisha

ETV Bharat / state

ପାଟକୁରା ପଲିଟିକ୍ସ: ଅନୁଭବ ବନାମ ଅନୁକମ୍ପା ଲଢେଇ ହେବ ଜୋରଦାର

ବାଜିଲାଣି ପାଟକୁରା ନିର୍ବାଚନ ବିଗୁଲ । ମତଦାନକୁ ଲମ୍ପ ଦେଲେଣି ନେତା । ମୋଟ 10 ଜଣ ପ୍ରାର୍ଥୀ ରଣାଙ୍ଗନାରେ ଥିବାବେଳେ ଅନୁଭବ ଓ ଅନୁକମ୍ପା ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି ।

By

Published : Jul 8, 2019, 6:48 PM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନେତା ଏବେ ଜନତା ମୁହାଁ । ପୂର୍ବରୁ ଗତ ଏପ୍ରିଲ ୨୯ତାରିଖରେ ଜିଲ୍ଲାରେ ନିର୍ବାଚନ ହୋଇଥିଲେ ହେଁ ପାଟକୁରା ଏଥିରୁ ବାଦ ପଡିଥିଲା । ଏହି ନିର୍ବାଚନ ମଣ୍ଡଳୀର ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ମେ ମାସ ୧୯ ତାରିଖରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପ୍ରଳୟଙ୍କାରୀ ‘ଫନି’ ମହାବାତ୍ୟା ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ପ୍ରଭୁତ କ୍ଷତି ସାଧିତ କରିଥିବାରୁ ଏହି ନିର୍ବାଚନକୁ ବିଳମ୍ବିତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତ ନେତାଏଁ । ସମଗ୍ର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଲେଣି ଛାମୁଆ ନେତା । ପ୍ରୟାସ ନିଜନିଜ ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର ।ପାଟକୁରା ନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଏଠାରେ ଅନୁଭବ ଓ ଅନୁକମ୍ପା ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଛି । ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ରାଜନୀତିରେ ନୂଆ ହୋଇଥିବାବେଳେ ସ୍ୱାମୀଙ୍କ ମୃତ୍ୟୁରେ ଅନୁକମ୍ପା ଓ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ନିର୍ବାଚନ ଲଢୁଛନ୍ତି ।

ସେପଟେ ଏକଦା ବିଜୁବାବୁଙ୍କ ଅନୁଗତ ତଥା ଓଡିଶାର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ଜଣାଶୁଣା ବିଜୟ ମହାପାତ୍ର ଗତ ୨୦୦୦ ମସିହାରୁ ବିଧାନସଭା ମୁହଁ ଦେଖିନାହାନ୍ତି । ପ୍ରତ୍ୟେକ ଥର ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଦଳର ପ୍ରାର୍ଥୀଙ୍କ ନିକଟରୁ ପରାଜିତ ହୋଇ ବିଜୟ ଏକ ଅନାବଶ୍ୟକୀୟ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୦୦ ମସିହାରେ ବିଜେଡି ପ୍ରଥମେ ବିଜୟଙ୍କୁ ଟିକେଟ ଦେଇ ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସେହି ନିର୍ବାଚନରେ ଅନ୍ୟ କୌଣସି ଉପାୟ ନପାଇ ବିଜୟ ନାମାଙ୍କନ ପତ୍ରମଧ୍ୟ ଦାଖଲ କରିନପାରି ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ନାୟକଙ୍କୁ ସମର୍ଥନ କରି ବିଜୟୀ କରାଇଥିଲେ । କିନ୍ତୁ ୨୦୦୪ ମସିହାରେ ଅତନୁଙ୍କ ପତିଆରା ଆଗରେ ହାର ମାନିଥିଲେ ବିଜୟ । ପରେ ୨୦୦୯ରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନିକଟରୁ ପୁନଃ ପରାଜିତ ହୋଇ ୨୦୧୪ରେ ମହାକାଳପଡାରେ ଭାଗ୍ୟ ପରୀକ୍ଷା କରି ମଧ୍ୟ ବିଫଳ ହୋଇଥିଲେ ବିଜୟ ।

ତେବେ ଚଳିତଥର ପାଟକୁରାରେ ବିଧାୟକ ବିରୋଧୀ ହାୱା ବହୁଥିବାରୁ ପାଟକୁରାରୁ ପ୍ରାର୍ଥୀ ହେବାପାଇଁ ମନ ବଳାଇଥିଲେ ବିଜୟ । କିନ୍ତୁ ପ୍ରଥମେ ବିପକ୍ଷ ନେତାଙ୍କ ବିୟୋଗ ଓ ପରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ବର୍ତ୍ତମାନ ବିଜେଡି ପକ୍ଷରୁ ଅନେକ ବିଧାୟକ, ନେତା ଓ ମନ୍ତ୍ରୀ ପାଟକୁରାରେ ବିଜୟଙ୍କୁ ପରାଜିତ କରିବା ପାଇଁ ଆସି ଡେରା ପକାଇଲେଣି । ତେବେ ବିଜେଡିର ନେତୃବୃନ୍ଦ ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସୁନିଶ୍ଚିତ ବୋଲି କହିବା ପରେ ବିଜେପି ଅନୁଭବୀ ବିଜୟଙ୍କୁ ନେଇ ବିଜୟ ଆଶା ବାନ୍ଧିଛି ।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହାନ୍ତି । ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଦର୍ଶାଇ ଭୋଟ ହାତେଇବା ଚକ୍କରରେ ରହିଛି । ଅନ୍ୟପଟେ ନିର୍ବାଚନକୁ ଆଖିଆଗରେ ରଖି ପ୍ରତି ଦଳକୁ ଡାକି ନିର୍ବାଚନ ଆଚରଣ ବିଧି ବୁଝାଇଛନ୍ତି ଜିଲ୍ଲାପାଳ । ଏହା ସହ 309 ଗୋଟି ବୁଥ ପାଇଁ ଭୋଟିଂ ମେସିନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ତେବେ ପାଟକୁରା ପଲିଟିକ୍ସରେ କିଏ ଜନତାଙ୍କ ଭୋଟରେ ଏଣ୍ଟ୍ରି ମାରୁଛି ତାହା ଦେଖିବାର କଥା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details