କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୋଲିସକୁ ଆଉ ଏକ ସଫଳତା। ଦୁଇଦିନ ତଳେ ଜଣେ ଆନ୍ତରାଜ୍ୟ ଅପରାଧୀକୁ ଗିରଫ କରିଥିଲା ପୋଲିସ । ତେବେ ସୋମବାର ରାତିରେ ଆନ୍ତଃଜିଲ୍ଲା ବାଇକ ଓ ମୋବାଇଲ ଚୋର ଗ୍ୟାଙ୍ଗର ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅପରାଧୀ ଫେରାର ହୋଇଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ଏସପି ନୀତିଶେଖର ।
ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ, ଜଣେ ଗିରଫ - କେନ୍ଦ୍ରାପଡା
କେନ୍ଦ୍ରାପଡାରେ ମାଡି ଚାଲିଛି ଅପରାଧୀଙ୍କ ଚେର । ସହରରେ ଚାଲିଛି ହରଦମ ଲୁଟ୍ । ଏନେଇ ଖୋଳତାଡ ଚଳାଇଛି ପୋଲିସ । ସୋମବାର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କେନ୍ଦ୍ରାପଡା ପୋଲିସ ।
ପୋଲିସ ସୂଚନାନୁଯାୟୀ ଗତ 7 ତାରିଖରେ ପାଟକୁରା ଥାନା ଶାସନୀପଡା ଗାଁର ସୂର୍ଯ୍ୟକାନ୍ତ ବେହେରା ଗୋପ ହାଟରେ ତାଙ୍କର ଏକ ହୋଣ୍ଡା ସାଇନ ବାଇକ ରଖି ହାଟ କରୁଥିବା ସମୟରେ ଡକାୟତମାନେ ତାଙ୍କ ଗାଡି ଲୁଟି ନେଇଥିବା ସେ ସଦର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାର୍ଡ ଓ ସଦର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଗତରାତିରେ ଟାଉନ ଥାନା ବଡ଼ ବାରଙ୍ଗ ଗାଁର ରାଜକିଶୋର ମଲ୍ଲିକ ଓରଫ ରାଜୁକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ବଡ଼ ବାରଙ୍ଗ ଗାଁର ଶଙ୍କର ନାୟକ ଓରଫ ଚୁଆଁ ଓ ସଦର ଥାନା ପସ୍ତା ଗାଁର ବିକି ଫେରାର ହୋଇଯାଇଛନ୍ତି ।
ଅଭିଯୁକ୍ତଙ୍କ ନିକଟରୁ 16ଟି ଗାଡି ସମେତ ଗୋଟିଏ ଲ୍ୟାପଟପ ଓ 22ଟି ମୋବାଇଲ ଜବତ ହୋଇଛି। ଏସପି ନୀତିଶେଖର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ