କେନ୍ଦ୍ରାପଡ଼ା: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ତଥା କେନ୍ଦ୍ରାପଡା ଜିଲ୍ଲାର ଅଢ଼ଙ୍ଗା ମଲ୍ଲିକେଶ୍ବରପୁରର ବାସିନ୍ଦା ଡକ୍ଟର ସାଗର ପ୍ରଧାନ । ପରିବେଶ ସଫେଇ ଅଭିଯାନ ପାଇଁ ନିଜର ବ୍ୟକ୍ତିଗତ ଉଦ୍ୟମ ଲାଗି ଲେଖକ ତଥା ପରିବେଶବିତ୍ ଡକ୍ଟର ସାଗର ଏହି ସଫଳତା ହାସଲ କରିଛନ୍ତି ।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ ’ଚାରା ରୋପଣ, ବେଳାଭୂମି ସଫେଇ, ପୋଖରୀର ପୁନରୁଦ୍ଧାର, ମୃତ୍ତିକା କ୍ଷୟ ରୋକିବା’ ଆଦି କାମ ପାଇଁ ଡକ୍ଟର ପ୍ରଧାନ ତାଙ୍କ ପୁସ୍ତକର ସମସ୍ତ ରୟାଲଟି ଅର୍ଥ ଦାନ କରିଛନ୍ତି । ଏହାଛଡା ଇଲେକ୍ଟ୍ରୋନିକ୍ ଓ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକ ସମସ୍ୟା, କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଆଦି ଦିଗରେ ଅନେକ ପରିବେଶ ସଚେତନତା ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି । ତାଙ୍କର ଏହି ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଟା ପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ୨୦୨୨ରେ ସ୍ଥାନ ପାଇଛି ।
ସୂଚନା ଥାଉ କି ପରିବେଶ ସୁରକ୍ଷା ଦିଗରେ ନିଜ ଉଦ୍ୟମ ପାଇଁ ତାଙ୍କୁ ମିଳିତ ଜାତିସଂଘ "ବିଶ୍ବ ପରିବେଶ ଦିବସ ହିରୋ -୨୦୨୦" ଭାବେ ମଧ୍ୟ ନାମିତ କରିସାରିଛି । ସେ ଲଣ୍ଡନ କୋଲ୍ଟ ଟେକ୍ନୋଲୋଜିର ମୁଖ୍ୟ କେରି ଗିଲ୍ଡର ଏବଂ ପ୍ରସିଦ୍ଧ ପୋଲାର ଏକ୍ସପ୍ଲୋରର ରବର୍ଟ ସ୍ଵାନଙ୍କ ଦ୍ଵାରା କ୍ଲାଇମେଟ୍ ଫୋର୍ସ 2041 ସଷ୍ଟେନେବିଲିଟି ଚାମ୍ପିଅନ୍ ତାଲିକାର ଶ୍ରେଷ୍ଠ ୩ ତାଲିକାରେ ସ୍ଥାନ ପାଇଥିଲେ ।