ଓଡିଶା

odisha

ETV Bharat / state

ଏନଆରସି ଭୟ, ଚିନ୍ତାରେ ଦେଶାନ୍ତର ନୋଟିସ ପାଇଥିବା ଲୋକେ

କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ବିଦା ହୋଇପାରନ୍ତି ଅନୁପ୍ରବେଶକାରୀ । ଏହାରି ଭିତରେ 2004 ମସିହାରେ ଦେଶାନ୍ତର ନୋଟିସ ପାଇଥିବା ଲୋକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସେତେବେଳେ ନୋଟିସ ପାଇଥିବା ପରିବାର ଏବେ କିପରି ଅଛନ୍ତି ତାହା ଦେଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ ।

ଡିଜାଇନ ଫଟୋ

By

Published : Oct 9, 2019, 3:18 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ବିଦା ହୋଇପାରନ୍ତି ଅନୁପ୍ରବେଶକାରୀ । ଏହାରି ଭିତରେ 2004 ମସିହାରେ ଦେଶାନ୍ତର ନୋଟିସ ପାଇଥିବା ଲୋକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସେତେବେଳେ ନୋଟିସ ପାଇଥିବା ପରିବାର ଏବେ କିପରି ଅଛନ୍ତି ତାହା ଦେଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ 2004 ମସିହାରେ ନୋଟିସ ପାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଗୋପାଳ ମିତ୍ର । ତାଙ୍କ ଘର ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚାୟତର କଳତୁଙ୍ଗା ପଶ୍ଚିମପଡା । ଗତ 24.12.2004ରେ ଗୋପାଳ, ତାଙ୍କ ମା’ କମଳା ଓ ବାପା ସ୍ବର୍ଗତ କେଶବ ମିତ୍ରଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା । ହେଲେ ଏହାକୁ ମାନି ନାହାଁନ୍ତି ସେ । ଗୋପାଳଙ୍କ କହିବାନୁଯାୟୀ, ତାଙ୍କ ପୂର୍ବଜ 52 ମସିହାରୁ ଏଠାକୁ ଆସିଛନ୍ତି । 1975 ମସିହା ଭୋଟର ତାଲିକାରେ ଗୋପାଳଙ୍କ ବାପା କେଶବ ମିତ୍ର, ମା କମଳା ମିତ୍ରଙ୍କ ସମେତ ତାଙ୍କ ଚାରି ଜେଜେ ଓ ଅନ୍ୟ ପରିବାରର ସଦସ୍ୟଙ୍କ ନାମ ରହିଥିବା ସେ କହିଛନ୍ତି ।

ତାଙ୍କ ଉପରେ କେହି ଆକ୍ରୋଶମୂଳକ ମନୋଭାବ ରଖି ପ୍ରଶାସନିକ ବାବୁ ମାନଙ୍କ ପାଖରେ ଏହି ନୋଟିସ କରାଇଥିବା ଅଭିଯୋଗ କରିଛନ୍ତି ସେ । ଏହା ସହ ଭାରତ ହେଉଛି ତାଙ୍କ ଜନ୍ମଭୂମି ତେଣୁ ସେ ଭାରତ ଛାଡି, ଓଡିଶା ଛାଡି କିମ୍ବା କେନ୍ଦ୍ରାପଡା ଛାଡି କୁଆଡେ ଯିବେ ନାହିଁ ବୋଲି କାନ୍ଦିକାନ୍ଦି କହିବା ସହ ଦରକାର ହେଲେ ସେ ରହୁଥିବା ସ୍ଥାନରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଗୋପାଳଙ୍କ ପିତାଙ୍କ ଦେହାନ୍ତ ହୋଇଥିବାବେଳେ ଘରେ ବୁଢୀ ମା, ସ୍ତ୍ରୀ ଓ ଦୁଇଟି ଛୋଟ ପୁଅ ଅଛନ୍ତି ।

ଅପରପକ୍ଷରେ ଗୋପାଳ ମିତ୍ରଙ୍କର ଘର ଗତ ନିର୍ବାଚନ ସମୟରେ ପୋଡିଯାଇଥିବା ବେଳେ ସେ ମାଗିଯାଚି ନଡା ଛପର ଘରଖଣ୍ଡିଏ ତୋଳିଛନ୍ତି । ଏହି ପରିସ୍ଥିତିରେ ଏବେ ଏନଆରସି କଥା ଉଠିଲା ବେଳକୁ ତାଙ୍କର ଛାତି ଭୟରେ ଥରି ଉଠୁଥିବା ସେ କହିଛନ୍ତି ।

ସେପଟେ ରାଜସ୍ବ ବିଭାଗ ଦ୍ଵାରା କୌଣସି ତଦନ୍ତ କରାନଯାଇ କେବଳ କାହା ଶୁଣା କଥାରେ ଗୋପାଳ ଓ ତାର ପରିବାରକୁ ନୋଟିସ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ କେବଳ ଗୋପାଳଙ୍କ ପରିବାର ନୁହଁନ୍ତି । 18ଟି ଓଡିଆ ପରିବାର, ସେତେବେଳର 27 ଜଣ ମୃତ ବ୍ୟକ୍ତି, 13 ଜଣ ଶିଶୁଙ୍କ ନାମ ମଧ୍ୟ 2004 ଦେଶାନ୍ତର ନୋଟିସରେ ରହିଥିବା କହିଛନ୍ତି ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ଗୟାଧର ଧଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details