ଓଡିଶା

odisha

ETV Bharat / state

ଶେଷ ଦିନରେ ନାମାଙ୍କନ ଭରିଲେ ଅନୁଭବ ଓ ଶଶୀଭୂଷଣ - last day

ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Apr 10, 2019, 10:16 AM IST

କେନ୍ଦ୍ରାପଡା: ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା । ତେବେ ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ରାପଡା ରାଜନୈତିକ ପାଣିପାଗ ବେଶ ସରଗରମ ହୋଇ ଗଲାଣି ।

ତେବେ ନାମଙ୍କନ ଦାଖଲ ପ୍ରକ୍ରିୟା ଗତ ୨ ତାରିଖରୁ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର(ଆଜି) ଶେଷ ହୋଇଛି । କେନ୍ଦ୍ରାପଡାରେ ତିନି ମୁଖ୍ୟ ରାଜନୈତିକ ଦଳର ହେଭିୱେଟ ନେତା ମୁହାଁମୁହିଁ ହେଉଛନ୍ତି । ବିଜେଡି ଶେଷ ଦିନରେ ତାର ନାମଙ୍କନ ଭରିଥିବା ବେଳେ ଗତକାଲି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲା

ଭିଡିଓ ସୌଜନ୍ୟ- ସମ୍ବାଦଦାତା କେନ୍ଦ୍ରାପଡା

ତେବେ ନାମାଙ୍କନ ପତ୍ର ଦାଖଲ ସମୟରେ ଅନୁଭବ ମହାନ୍ତିଙ୍କ ସହ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଷ୍ଟାର ଦମ୍ପତ୍ତିଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ରାସ୍ତାରେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ବେଶ୍ ଭିଡ ଜମିଥିଲା । ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ପୂର୍ବତନ ସାଂସଦଙ୍କ ଉପରେ ବର୍ଷିଛନ୍ତି ଅନୁଭବ । ଅନ୍ୟପଟେ ନବୀନ ବାବୁଙ୍କ ବିକାଶ ମନ୍ତ୍ରକୁ ଗାଇ ସେ କେନ୍ଦ୍ରାପଡ଼ା ଭୋଟରମାନଙ୍କ ପାଖକୁ ଯିବେ ବୋଲି ମଧ୍ୟ କହିଛନ୍ତି ବିଜେଡିର ଏହି ସାଂସଦ ପାର୍ଥୀ ।

ସେହିଭଳି ଆଜି ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଳି ନିର୍ବାଚନ ମଣ୍ଡଳୀରୁ ବିଜେପିର ବରିଷ୍ଠ ନାରୀନେତ୍ରୀ ତଥା ରାଜ୍ୟ ବିଜେପିର ମହିଳା ଉପସଭାନେତ୍ରୀ ସୁଜାତା ବାରିକ ମଧ୍ୟ ଆଜି ସ୍ଵାଧୀନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଳି ନିର୍ବାଚନ ମଣ୍ଡଳୀରୁ ବିଜେପି ଆଳିର ପୁର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଛି ।

ଚଳିତ ନିର୍ବାଚନ ପାଇଁ ଆଜି ମନୋନୟନ ପତ୍ର ଦାଖଲର ଶେଷ ସୁଦ୍ଧା କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନରୁ ୧୨ ଜଣ, ଆଳି ବିଧାନସଭା ଆସନରୁ ୧୦ ଜଣ , ରାଜନଗର ବିଧାନସଭା ଆସନରୁ ୮ଜଣ, ମହାକାଳପଡା ବିଧାନସଭା ଆସନରୁ ୧୩ ଜଣ ଓ ପାଟକୁରା ବିଧାନସଭା ଆସନରୁ ୧୨ ଜଣ କରି ମୋଟ ୫୫ ଜଣ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ କି, ଆସନ୍ତା ୨୯ ତାରିଖରେ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡାର ଭାଗ୍ୟ ପରୀକ୍ଷା ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details