ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ସରୁନି ମିଶ୍ରଣ ପର୍ବ, ଗୋଳିଆ ହେଉଛି ରାଜନୀତି - election

କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଏଥର ଘମାଘୋଟ ଲଢେଇ ହେବ । ବିଜେପି-ବିଜେଡି-କଂଗ୍ରେସ ନିଜ ନିଜ ଶିବିରରେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ହେଲେ ଏହା ଭିତରେ କେନ୍ଦ୍ରାପଡାରେ ବିଭିନ୍ନ ରାଜନୈତିକ ଦଳ ପାଇଁ ଯୋଦ୍ଧା ଦଳ ଛାଡିବା ଗଭୀର ଚିନ୍ତାଜନକ ବିଷୟ ସାଜିଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 11, 2019, 10:45 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଏଥର ଘମାଘୋଟ ଲଢେଇ ହେବ । ବିଜେପି-ବିଜେଡି-କଂଗ୍ରେସ ନିଜ ନିଜ ଶିବିରରେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ହେଲେ ଏହା ଭିତରେ କେନ୍ଦ୍ରାପଡାରେ ବିଭିନ୍ନ ରାଜନୈତିକ ଦଳ ପାଇଁ ଯୋଦ୍ଧା ଦଳ ଛାଡିବା ଗଭୀର ଚିନ୍ତାଜନକ ବିଷୟ ସାଜିଛି । ଏଥିରେ ସର୍ବାଗ୍ରେ ରହଛନ୍ତି ବିଜେପି-ବିଜେଡି । ଦଳରେ କନ୍ଦଳ, ଇସ୍ତଫା, ଦଳ ଡିଆଁରେ ଏହି ଦୁଇ ଦଳ ଜର୍ଜରିତ । ଅନେକ ଟାଣୁଆ ନେତାଙ୍କ ଜନ୍ମ, କର୍ମ ଭୂମି କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ଏଥିର ବିଗ୍‌ ଫାଇଟ ଦେଖିବାକୁ ମିଳିବ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦ୍ରାପଡା


ସୂଚନା ଯେ କେନ୍ଦ୍ରାପଡାରେ ଚଳିତ ଥର ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପି ଶିବିରକୁ ଏଣ୍ଟ୍ରି କରିଛନ୍ତି ଅନ୍ୟପଟେ ବିଜେପି ଶିବିରକୁ ପୁଣି ଫେରିଛନ୍ତି ଭେଟରାନ ନେତା ବିଜୟ ମହାପାତ୍ର । ବିଜେଡିକୁ କେନ୍ଦ୍ରାପଡାରୁ ଶକ୍ତ ପ୍ରହାର କରିବା ପାଇଁ ବିଜେଡିର ଅନେକ ନେତାଙ୍କୁ ବିଜେପିରେ ସାମିଲ କରୁଛନ୍ତି ଜୟ-ବିଜୟ ଯୋଡି । କେନ୍ଦ୍ରାପଡାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଟକୁରାରେ ଏଥର ଆରପାର୍‌ ଲଢେଇ ହେବ । ବିଜୟଙ୍କ ଆଶୀର୍ବାଦରେ ୨୦୦୪ ମସିହାରେ ଓଜିପିରୁ କେନ୍ଦ୍ରାପଡ଼ା ଆସନରେ ବେଦପ୍ରକାଶ ଅଗ୍ରୱାଲଙ୍କୁ ପରାଜିତ କରିଥିବା ବିଧାୟକ ଉତ୍କଳ ଚଳିତଥର ବିଜୟଙ୍କୁ ବିରୋଧ କରି ବେଦପ୍ରକାଶଙ୍କୁ ସମର୍ଥନ ଦେବାପାଇଁ ଆସିଛନ୍ତି । ସେପଟେ ବେଦପ୍ରକାଶଙ୍କ ଆଶୀର୍ବାଦରେ ଡେରାବିଶ୍ ବ୍ଲକ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକରେ ଦୁଇଦୁଇଥର ନିଜ ପତ୍ନୀଙ୍କୁ ଅଧ୍ୟକ୍ଷା ଆସନରେ ବସାଇଥିବା ସରୋଜକାନ୍ତ ଏବେ ଗୁରୁ ବେଦପ୍ରକାଶଙ୍କୁ ବିରୋଧ କରି ବିଜୟଙ୍କ ଶିବିରରେ । ଯାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଏହି ସବୁ କାରଣରୁ କେନ୍ଦ୍ରାପଡା ରାଜନୀତିର ପାଣିପାଗ କେଉଁ ଆଡକୁ ମୁହାଁଉଛି ତାହା ଏବେଠୁ କହିବା ମୁସ୍କିଲ ।

ବର୍ଷ ୨୦୧୭ ମସିହା ଜୁନ ୧୧ରେ ଦଳରେ ମିଶିଥିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା । ମାତ୍ର ବିଜେପି ଛାଡି ଥିବା ବିଜୟ ମହାପାତ୍ର ବିଜେପକୁ ଫେରିବା ପରେ ତାଙ୍କୁ ପାଟକୁରାରୁ ବିଧାୟକ ଟିକେଟ ଦିଆଗଲ। । ଏହା ଉତ୍କଳଙ୍କୁ ବ୍ୟଥିତ କରିଥିଲା । ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେପିକୁ ବାଏ ବାଏ କରି ଶଙ୍ଖ ଫୁଙ୍କିଲେ ଉତ୍କଳ । ଏହାସହ ସବୁଜ ଶିବିରରେ ପସୁ ପସୁ ବୈଜୟନ୍ତଙ୍କ ପରାଜୟ ନେଇ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ଏହାସହ ବୈଜୟନ୍ତ ଯେଉଁ ଦଳରେ ରୁହନ୍ତି ସେଠାରେ ସେ ନିଜର ମଧ୍ୟ ଏକ ସମାନ୍ତରାଳ ସଙ୍ଗଠନ ଗଠନ କରନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଜେଡିରେ ଉତ୍କଳ ।

ସେହିଭଳି ବିଜେପିର ମିଶନ ୧୨୦+ ବନ୍ଧା ପଡିଯାଇଛି ବୋଲି ଅଭିଯୋଗ କରି ଏଥର ଘରେଘରେ ଶଙ୍ଖ ବଜାଇବା ଲକ୍ଷ୍ୟ ନେଇ ବିଜେଡିରେ ପହଞ୍ଚିଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଗୀତାଞ୍ଜଳି ସେଠୀ । ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ଓ ଶାସନରେ ପ୍ରଭାବିତ ହୋଇ ବିଜେପି ଦଳକୁ ପରିତ୍ୟାଗ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗୀତା ।


ଅପରପକ୍ଷରେ ବିଜେଡି ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ସରୋଜ କାନ୍ତ ସାହୁ ଓ ତାଙ୍କର ଅନୁଗାମୀଙ୍କ ୟୁ-ଟର୍ଣ୍ଣ କଥା ବେସ୍‌ ରୋଚକ ସାଜିଛି ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ । ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦପ୍ରକାଶ ଅଗ୍ରୱାଲଙ୍କୁ ମିଳିଛି ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ । ଏଥିରେ ଅସନ୍ତୋଷ ହୋଇଥିଲେ ଏହି ଆସନ ପାଇଁ ଆଶାୟୀ ଥିବା ଅତନୁ ସବ୍ୟସାଚୀ ନାୟକଙ୍କ ଶିବିରର ସରୋଜ କାନ୍ତ ସାହୁ । ବିଜେଡି ଛାଡି ବିଜେପିରେ ସାମିଲ ହେବା କଥା ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ବିଜେଡି ପକ୍ଷରୁ ସରୋଜଙ୍କୁ ରାଜ୍ୟ ସମ୍ପାଦକ ପଦବୀର ଲଲିପପ୍‌ ମିଳିଲା ପରେ ସେ ଦଳ ଛାଡିବା ଉପରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ମାତ୍ର ପୁଣି ନାଟକୀୟ ମୋଡ ନେଲା ସରୋଜଙ୍କ ଦଳ ଡିଆଁ ଘଟଣା । ବୁଧବାର ସ୍ବଂୟ ସେଲିବ୍ରେସନ ମଣ୍ଡପରେ ବୈଜୟନ୍ତଙ୍କ ଉପସ୍ଥିତିରେ ଶଙ୍ଖ ଛାଡି ପଦ୍ମ ପୋଖରୀକୁ ଆସିଛନ୍ତି ସରୋଜ ।


ଏଠାରେ ଉଲ୍ଲେଖଯୋଗ୍ୟ ବୈଜୟନ୍ତଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିବା କଥା କହିଛନ୍ତି ସରୋଜ । ମାତ୍ର ସରୋଜ ପ୍ରଥମ ନେତା ଯିଏକି ବିଜେଡିରେ ଥିବା ସମୟରେ ବୈଜୟନ୍ତଙ୍କୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ କରିଥିଲେ । ଡେରାବିଶ୍ ବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ସେ ବିଜେପି ଦଳରେ ଯୋଗଦେଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।


ରାଜ୍ୟରେ ପାରଦ ସ୍ତର ଯେତିକି ବଢୁଛି କେନ୍ଦ୍ରାପଡ଼ା ରାଜନୀତି ସେତିକି ଉତ୍ତପ୍ତ ହେଉଛି । ଏପଟେ ବେଳେ ଏହି ଦଳଡିଆଁ ପର୍ବ ଆସନ୍ତା ୨୯ ଯାଏଁ ଚାଲୁରହିବ ବୋଲି ରାଜନୈତିକ ବିଶ୍ଲେଷକ ମାନେ ପୂର୍ବାନୁମାନ କରୁଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ରାପଡା ରାଜନୀତିରେ ଅନେକ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୁଳସୀକ୍ଷେତ୍ରରେ କାହାର କେତେ ଦମ୍‌ ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details