କେନ୍ଦ୍ରାପଡା:ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା । ପକ୍ଷୀ ଗଣନା ପାଇଁ ଗୁରୁବାର ପ୍ରଶିକ୍ଷଣ ନେଇଛନ୍ତି ଟିମ୍ । ଭିତରକନିକାରେ ପକ୍ଷୀଗଣନା ପାଇଁ ୧୭ଟି ଟିମ ଗଠନ କରାଯାଇଛି । ଆଜିର ପକ୍ଷୀ ଗଣନାରେ OUAT ଫରେଷ୍ଟ ଆନ୍ଥୋଲୋଜି ବିଷୟ ରଖିଥିବା ଛାତ୍ରଛାତ୍ରୀ, ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଜୁଲୋଜି ଛାତ୍ରଛାତ୍ରୀ ଭାଗ ନେବେ ବୋଲି ସୂଚନା ମିଳିଛି । ନିକଟରେ ଚିଲିକାରେ ପକ୍ଷୀ ଗଣନା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: Annual Bird census: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ
ତେବେ ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମୀ, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳିଭଂଜ ଡିଆ, ମଗରକନ୍ଦା, ଚିଂଚିରିମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ବତୀଘର, ରାଜଗଡ ପ୍ରଭୃତି ସ୍ଥାନ ମାନଙ୍କରେ ଏହି ଗଣନା କାର୍ଯ୍ୟ କରାଯିବ । ପ୍ରତି ଟିମକୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ ପ୍ରଭୃତି ଯନ୍ତ୍ର ଯୋଗାଇ ଦିଆଯାଇଛି । ଏହାଛଡା ନଦୀରେ ଗଣନା ସମୟରେ ବୋଟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ
ପ୍ରଶିକ୍ଷଣ ନେଲା ଟିମ୍:ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଅଧିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ କିଭଳି ଭାବେ ପକ୍ଷୀଗଣନା କରାଯିବ ସେନେଇ ଏସିଏଫ ପୁନମହିରା ହାଁସଦା, ପ୍ରାଣୀବିଜ୍ଞାନୀ ଡଃ.ଶିବ ପ୍ରସାଦ ପରିଡା କିପରି ପକ୍ଷୀ ଗଣନାହେବ ସେନେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବନାଞ୍ଚଳ ଅଧିକାରୀଙ୍କ ସହିତ ପକ୍ଷୀ ବିଷାରଦ ମାଇକେଲ ପିଟର, ସେଞ୍ଚୁରିୟାନ ୟୁନିଭରସିଟିର ପ୍ରାଣୀବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ପ୍ରଶିକ୍ଷଣ ନେଇଥିଲେ। ପକ୍ଷୀଗଣନା ତାଲିମ ଶିବିରର ଛାତ୍ରଛାତ୍ରୀ ମାନଙ୍କୁ ବାର୍ଡ ଆଇଡେଣ୍ଟଫିକେସନ, ଫିଲ୍ଡ ଆଇଡେଣ୍ଟଫିକେସନ, ବାର୍ଡ ବାଏ କାଉଣ୍ଟ, ବ୍ଲକ କାଉଣ୍ଟ ଇତ୍ୟାଦି ବିଷୟରେ ତାଲିମ ଦେଇଥିଲେ ଡ଼ଃ ପରିଡା।
ବିଦେଶୀ ପକ୍ଷୀଙ୍କ ଆଗମନରେ ଚଳଚଞ୍ଚଳ ଭିତରକନିକା: ପକ୍ଷୀଙ୍କ କଳରଵରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏବେ ଚଳଚଞ୍ଚଳ । ବିଦେଶାଗତ ପକ୍ଷୀମାନଙ୍କର ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନ ସମେତ ଆର୍ଦ୍ରଭୂମି ଏବେ ପକ୍ଷୀମାନଙ୍କର କାକଳିର କୁହୁ ତାନ ଶବ୍ଦରେ ପ୍ରକମ୍ପିତ ହେଉଛି । ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଙ୍ଗବେରଙ୍ଗର ପକ୍ଷୀମାନେ ଉଦ୍ୟାନ ସଂଲଗ୍ନ ଆର୍ଦ୍ରଭୂମୀ ଓ ଅନ୍ୟାନ୍ୟ ଜଳାଶୟରେ ଖାଦ୍ୟ ସଂଗ୍ରହକରିବା, ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ।
ଇଟିଭି ଭାରତ, କେନ୍ଦ୍ରାପଡା