କେନ୍ଦ୍ରାପଡା : ମା’ଦୁନିଆର ସବୁଠୁ ମଧୁର ଶବ୍ଦ । ଏ ଶବ୍ଦରେ ଭରି ରହିଥାଏ ସ୍ନେହ,ପ୍ରେମ, ମମତାର ଗଭୀର ସମୁଦ୍ରଟିଏ । ଯାହାର ଆକଳନ ବାସ୍ତବରେ ଅସମ୍ଭବ । ମାତୃ ଦିବସ ଅବସରରେ ଆମେ ଏମିତି ଜଣେ ମାଙ୍କୁ ଭେଟିବା ଯିଏ ସମସ୍ତଙ୍କ ପ୍ରିୟ ‘ବଡ ମା’।କେନ୍ଦ୍ରାପଡା ଦିୱାନାପାଟଣାର ମିନତୀ ମହାରଣା ଓରଫ ବଡ ମା’ । ଦୀର୍ଘ ଦୁଇ ଦଶନ୍ଧି ଧରି ରେସୱା ସୁଧାର ଗୃହର ପରିଚାଳିକା ଭାବେ କାର୍ଯ୍ୟ କରୁଛନ୍ତି । ଏହି ସୁଧାର ଗୃହରେ ରହୁଥିବା ସମସ୍ତ ଅନ୍ତେବାସିନୀ ତାଙ୍କୁ ଶ୍ରଦ୍ଧାରେ ବଡ ମା ବୋଲି ଡାକନ୍ତି । କାହିଁକିନା ସେ ଖୁବ କମ ସମୟରେ ପରକୁ ବି ଆପଣାର କରିପକାନ୍ତି । ଭାରି ପରଉକାରୀ ମଣିଷଟିଏ ସିଏ ସେ । ସବୁବର୍ଗର ନାରୀଙ୍କ ପାଇଁ ଜାରି ରଖିଛନ୍ତି ଆଇନଗତ ଲଢେଇ ।
ଖାଲି ନାରୀ ନୁହେଁ, ଅସହାୟ ଲୋକଙ୍କ ପାଇଁ ସେ ମାଆ ଠାରୁ ବି ଅତି ନିଜର । ବେସାହାରଙ୍କ ପାଇଁ ଶବଦାହ କରିବାକୁ ଶ୍ମଶାନ ବି ଚାଲିଯାଆନ୍ତି । ବାଛ ବିଚାର କିଛି ରଖନ୍ତିନି । ସବୁ ବର୍ଗର ଲୋକଙ୍କୁ ସହାୟତା କରିବା ପାଇଁ ସେ ସବୁବେଳେ ଆଗଭର । ନିଜେ ଅବିବାହିତ ରହିଥିଲେ ମଧ୍ୟ ଅନ୍ତେବାସୀଙ୍କୁ ନିଜ ସନ୍ତାନ ପରି ଦେଖନ୍ତି । ସୁଖଦୁଖଃରେ ସେମାନଙ୍କ ସାଥିରେ ଥାନ୍ତି ବୋଲି ଅନେକ ଅନ୍ତେବାସିନୀ କୁହନ୍ତି। ସୁଧାର ଗୃହରେ ରହୁଥିବା ଅନ୍ତେବାସିନୀ ମଧ୍ୟ ମୀନତିଙ୍କ ନିକଟରେ ସବୁ ଅଳି ଅଝଟ କରନ୍ତି ।