କେନ୍ଦ୍ରାପଡା: ୭ ମାସ ଭିତରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ୨୦ ବର୍ଷ ଜେଲ୍ ଗଲା ଦୁଷ୍କର୍ମକାରୀ ବଡବାପା । ଗତ ମେ'୧୯ ତାରିଖରେ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ଜଣେ ବଡବାପା ନିଜ ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା । ଶୁକ୍ରବାର କେନ୍ଦ୍ରାପଡା ସ୍ପେଶାଲ ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।
ଘଟଣା ଅନୁଯାୟୀ, ଚଳିତ ବର୍ଷ ମେ' ମାସ ୧୯ ତାରିଖରେ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାକୁ ତା'ର ବଡବାପା ଚକୋଲେଟ ଦେବା ବାହାନା କରି ଏକ କ୍ୟାବିନ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ମାଆ ଏହି ଅଭିଯୋଗ ଆଣିଥିଲେ । ୬୩ ବର୍ଷୀୟ ଅଭିଯୁକ୍ତ ପ୍ରହ୍ଲାଦ ବେହେରା ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାବିନ ପକାଇ ପାନ, ଚକୋଲେଟ ଓ ଖେଳଣା ବ୍ୟବସାୟ କରିଆସୁଥିଲା । ଘଟଣା ଦିନ ଅପରାହ୍ନରେ ପ୍ରହ୍ଲାଦ ନିଜ ଝିଆରୀକୁ ଚକୋଲେଟ ଲୋଭ ଦେଖାଇ କ୍ୟାବିନକୁ ଡାକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ତାକୁ(ଝିଆରୀ) ଓ ପୁରା ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲା । ହେଲେ ନାବାଳିକାର ଅବସ୍ଥା ଗୁରୁତର ହେବା ଦେଖି ମାଆ ପଚାରିବାରୁ ସେ ସବୁକଥା ଜଣାଇଥିଲେ ।