କେନ୍ଦ୍ରାପଡ଼ା: ମହାନଦୀ ଉପକୂଳରେ ଥିବା ଶିଳ୍ପାଞ୍ଚଳ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବାସିନ୍ଦା । ମହାନଦୀ ଆଖପାଖ ବା ପାରାଦ୍ବୀପ ଉପକୂଳରେ ଥିବା ଶିଳ୍ପାଞ୍ଚଳରେ ବହୁ କାରାଖାନା ରହିଛି। ଏହି କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ମହାନଦୀରେ ମିଶୁଛି। ଏହି ପାଣିକୁ ବ୍ୟବହାର କରିବା ପରେ ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ମହାକାଳପଡ଼ା ବ୍ଲକର ରାମନଗର,ଜମ୍ବୁ, ସୁନୀତି, ବଉଳକଣି ଆଦି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହି ଶିଳ୍ପ ସଂସ୍ଥା ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି।
ଶିଳ୍ପାଞ୍ଚଳ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ମହାକାଳପଡ଼ା ବାସିନ୍ଦା, ମିଳୁନି ସରକାରୀ ସହୟତା ବର୍ତ୍ତମାନ ଏହି ଶିଳ୍ପସଂସ୍ଥା ମହାକାଳପଡ଼ା ବ୍ଲକବାସୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ଦୂଷିତ ଜଳ ମହାନଦୀରେ ମିଶୁଥିବାରୁ ମହାନଦୀର ମାଛସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଏଥିପାଇଁ ମାଛ ଧରିବା ଓ ବିକ୍ରି କରିବା ଅସମ୍ଭବ ହୋଇ ପଡ଼ିଛି। ଯେଉଁ ମାଛ ଧରା ପଡ଼ୁଛନ୍ତି ତାହାକୁ ଖାଇବା ସମ୍ଭବ ହେଉନାହିଁ। ଏହି ଅଞ୍ଚଳରେ ମତ୍ସ୍ୟଜୀବିମାନଙ୍କ ଜୀବିକା ବର୍ତ୍ତମାନ ସଙ୍କଟରେ ରହିଛି। କେବଳ ସେତିକି ନୁହେଁ ବିଷାକ୍ତ ପାଣି ଓ କାରଖାନାରୁ ନିର୍ଗତ ଧୂଆଁ ଯୋଗୁଁ ମହାକାଳପଡ଼ାରେ ଚାଷ ଜମି ନଷ୍ଟ ହେବା ସହ ଯେଉଁ ମାତ୍ରାରେ ଅମଳ ହେବା କଥା ତାହା ହେଉନାହିଁ। ବିଭିନ୍ନ ପ୍ରକାରର ତୈଳବୀଜ ଜାତୀୟ ଫସଲ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସେହିଭଳି ମହାକାଳପଡ଼ା ଦେଇ ଏହି ଶିଳ୍ପାଞ୍ଚଳଗୁଡ଼ିକୁ ମାଲ ପରିବହନ ହେଉଥିବା ବେଳେ ଏଠାରେ କର୍ପୋରେଟ ସାମାଜିକ ଦାୟିତ୍ବ ପାଳନ ହେଉନାହିଁ। ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି କେନ୍ଦ୍ରାପଡ଼ାବାସୀ ପ୍ରାଣ ହରାଉଛନ୍ତି। ସବୁଜ ପରିବେଶ ସୃଷ୍ଟି କରିବା ପାଇଁ CSR (Corporate Social Responsibility) ଫଣ୍ଡ ଖର୍ଚ୍ଚ କରିବା ନେଇ ନିୟମ ରହିଛି। l ତେବେ କମ୍ପାନୀମାନେ ଏହାକୁ ପାଳନ କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉପ ଜିଲ୍ଲାପାଳଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। କମ୍ପାନୀ ଗୁଡିକରୁ ନିର୍ଗତ ବିଷାକ୍ତ ଗ୍ୟାସ ଓ ଆବର୍ଜନା ଉପରେ ଦୃଷ୍ଟି ଦେଇ ଖୁବଶୀଘ୍ର ଏହାର ସମାଧାନର ଦିଗ ବାହାର କରାଯିବ ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କହିଛନ୍ତି।
କ୍ଷତିପୂରଣ ବାବଦକୁ ମହାକାଳପଡ଼ାବାସୀଙ୍କୁ ନା ମିଳିଛି ସରକାରୀ ସହୟତା ନା ମଳୁଛି ସ୍ଥାୟୀ ନିଯୁକ୍ତି। ଯଥାଶୀଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ନିଯୁକ୍ତିର ଏକ ମାପକାଠି ରହିଛି। ଲୋକମାନଙ୍କ ପାଖରେ ଯୋଗ୍ୟତା ଥିଲେ ନିଶ୍ଚିତ ନିଯୁକ୍ତି ମିଳିବା ଆବଶ୍ୟକ ବୋଲି କହିଛନ୍ତି ଉପଜିଲ୍ଲାପାଳ। ସେପଟେ CSR ଫଣ୍ଡ ଖର୍ଚ୍ଚ ବାବଦକୁ ସଠିକ ଭାବରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ