କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଶିକ୍ଷା ବ୍ୟବସ୍ଥାରେ ସାମ୍ନାକୁ ଆସିଛି ବଡ଼ ଦୁର୍ନୀତି । କଲେଜ ଉନ୍ନତୀକରଣ ନାମରେ ମିଳିମିଶି ଲୁଟିନେଲେ ସାଢେ ତିନି କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଦୁର୍ନୀତିରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏପରିକି ସମସ୍ତ କର୍ମଚାରୀ ମଧ୍ୟ ସାମିଲ ଥିବା ଦର୍ଶାଇଛି ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ । ଗୋଟିଏ ପଟେ କଲେଜରେ ସେଭଳି ଆଖିଦୃଶିଆ ଉନ୍ନତିରେ ଦେଖା ଯାଉନଥିବା ବେଳେ ଅଡିଟ ରିପୋର୍ଟରେ ହଡପ ହୋଇଥିବା ଅର୍ଥର ସୁଧ ବଢ଼ିବଢ଼ି ଚାଲିଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ସୂଚନାଧିକାର କର୍ମୀ । ଜିଲ୍ଲାର ଏକମାତ୍ର କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଲୋକାଲ ଫଣ୍ଡ ଅଡିଟ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଟଙ୍କା ଉଠିଛି, ହିସାବ ନାହିଁ !: ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ରିପୋର୍ଟ ଆଧାରରେ କଲେଜର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟକରଣ ପାଇଁ କଲେଜ ପାଣ୍ଠିରୁ ଅଧ୍ୟାପକ ଓ କର୍ମଚାରୀମାନେ ନେଇଛନ୍ତି କୋଟିକୋଟି ଟଙ୍କା । ଅଥଚ ଉନ୍ନତି ହେବା ତ ଦୂରର କଥା, ଖର୍ଚ୍ଚ ନେଇ ବିନିଯୋଗ ପ୍ରମାଣପତ୍ର (UC) ମଧ୍ୟ ଦାଖଲ କରିପାରିନାହାନ୍ତି ଅଧ୍ୟାପକ ଓ କର୍ମଚାରୀ । ଜିଲ୍ଲାର ଏକମାତ୍ର କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଲୋକାଲ ଫଣ୍ଡ ଅଡିଟ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ବିଭିନ୍ନ ଆଳରେ ଉଠିଛି ସାଢ଼େ ୩ କୋଟିରୁ ଅଧିକ ଟଙ୍କା: ସୂଚନା ଅଧିକାର ଆଇନ ବଳରେ ଲୋକାଲ ଫଣ୍ଡ ଅଡିଟ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୦୨-୦୩ ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କଲେଜ ପାଣ୍ଠିରୁ କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟ ସମସ୍ତ କର୍ମଚାରୀ ୩ କୋଟି ୫୩ ଲକ୍ଷ ୩୬ ହଜାର ୫୦୫ ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଉଠାଇଛନ୍ତି । ଯାହାକୁ ଆଦାୟ ପାଇଁ ଅଡିଟ ସରଚାର୍ଜ କରିଛି । କେବଳ ଏକମାତ୍ର ଅଧ୍ୟାପକ ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ସେକ୍ ଅଲ୍ଲୀ ୨୦୧୮ ଜାନୁଆରୀ ମାସ ୯ ତାରିଖରେ ୭୦ ହଜାର ୬୪୦ ଟଙ୍କା ଜମା କରିଛନ୍ତି । ଅନ୍ୟ ସମସ୍ତ ବିବାଦୀୟ ରାଶି ଅର୍ଥାତ ଅଡିଟ ସମୟରେ ଯାହାର ବିଲ୍ ଭାଉଚର ପ୍ରଦାନ କରାଯିବା କଥା ତାହା ଜମା ହୋଇ ପାରିନାହିଁ । ଯାହା ବର୍ଷକ ପରେ ଆଦାୟ ହେବା କଥା ବର୍ଷୱାରୀ ରାଶି ମିଶିଲେ ୧୬ କୋଟି ୫୬ ଲକ୍ଷ ୨୯ ହଜାର ୮୩୭ ଟଙ୍କା ହେବ ବୋଲି ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ସୂଚନାଧିକାର ଆଇନ ବଳରେ ତଥ୍ୟ ମାଗିଥିବା କର୍ମୀ ।