ଓଡିଶା

odisha

ETV Bharat / state

ଏମିତି ଗାଁ: ମଦ ପିଇବା ମନା, ମଦ ବିକିବା ମନା

ଗାଁଠୁ ସହର ଏବେ ସବୁଆଡେ ନିଶା ଓ ନିଶାଖୋରଙ୍କ ପ୍ରାଦୁର୍ଭାବ । କିନ୍ତୁ କେନ୍ଦ୍ରାପଡ଼ାର ପୁରୁଷୋତ୍ତମପୁର ଏମିତି ଏକ ଗାଁ ଯେଉଁଠି ମଦ ସମ୍ପୂର୍ଣ୍ଣ ନିଷେଧ । ଏହି ଗାଁରେ କେହି ମଦବିକ୍ରି କରିପାରିବେନି କି ମଦ ପିଇ ମଧ୍ୟ ପାରିବେନି ।

By

Published : Sep 25, 2019, 4:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ଥିଲା ସମ୍ପୂର୍ଣ୍ଣ ନିଶାମୁକ୍ତ ସମାଜ ଗଠନ । ଆଉ ଦିନ କେଇଟା ପରେ ସାରା ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବ । ଆଉ ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଏମିତି ଗାଁ, ଯେଉଁଠାରେ ଯୁବକ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଜଣେ ମହିଳା ସସ୍ମିତା ନିଜ ଗାଁକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦିଗରେ ଆଗେଇ ଆସିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ାର ପୁରୁଷୋତ୍ତମପୁର ଏମିତି ଏକ ଗାଁ ଯେଉଁଠି ମଦ ସମ୍ପୂର୍ଣ୍ଣ ନିଷେଧ । ଏହି ଗାଁରେ କେହି ମଦବିକ୍ରି କରିପାରିବେନି କି ମଦ ପିଇ ମଧ୍ୟ ପାରିବେନି । ଗାଁର ଯୁବକ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି ଏହି ମଦ ବିରୋଧୀ ଅଭିଯାନ । ଏଥିରେ ଗାଁର ମହିଳାମାନେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ଗାଁର ଯୁବକମାନେ ଏନେଇ ସଚେତନ କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ନିୟମିତ ଘରଘର ବୁଲି ଲୋକମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହିତ ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ ଗାଁ କରିପାରିଛନ୍ତି ।

ପୁରୁଷୋତ୍ତମପୁର ଗାଁରେ ମଦର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ କେବଳ ଜୋରିମାନା କରାଯାଉଛି, ତାହା ନୁହେଁ ଏମାନଙ୍କୁ ଧରାଇଦେବା ଲୋକଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି । ମଦ୍ୟପଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ କଲେ ଏକହଜାର ଟଙ୍କାର ନଗଦ ଅର୍ଥ ପୁରସ୍କାର ଦେଉଛି ଗାଁର ହନୁମନ୍ତିଆଣି ଯୁବଜ୍ୟୋତି କ୍ଳବ ଯୁବକ ସଂଘ । ତେବେ ଏହି ଆଧାରରେ ଜଣେ ମହିଳା ସସ୍ମିତା ଜେନା ନିଜ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରି ପୁରସ୍କୃତ ବି ହୋଇଛନ୍ତି । ତେବେ ଜୋରିମାନା ଗଣିବା ପରେ ମହିଳାଙ୍କ ସ୍ବାମୀ ବି ମଦ ପିଇବା ଛାଡିଥିବା କହିଛନ୍ତି ।

କେନ୍ଦ୍ରାପଡ଼ାର ଗ୍ରାମାଞ୍ଚଳରେ ମଦ ନିଶାର ପ୍ରସାର କରୁଥିବା ଚୋରା ବ୍ୟବସାୟୀଙ୍କ ଉପରେ ଅବକାରୀ ବିଭାଗ ଲଗାମ୍ କଷିବାର ଆବଶ୍ୟକତା ରହିଛି | ତେବେ ସସ୍ମିତାଙ୍କ ପରି ଅନ୍ୟ ମହିଳାମାନେ ଆଗେଇ ଆସିଲେ ଏକ ମଦ ମୁକ୍ତ ଓଡିଶା ଗଠନର ସ୍ଵପ୍ନ ବେଶୀ ଦୂର ନୁହେଁ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details