ଓଡିଶା

odisha

ETV Bharat / state

ଭୂମିହୀନଙ୍କୁ ଶୀଘ୍ର ମିଳିବ 'କାଳିଆ' ଟଙ୍କା, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ଭୁମିହୀନଙ୍କୁ ମିଳିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ କାଳିଆ ସହାୟତା ରାଶି । କେନ୍ଦ୍ରାପଡ଼ା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : Feb 16, 2019, 4:03 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ସଦର ନିର୍ବାଚନମଣ୍ଡଳୀ ଅଧିନସ୍ଥ ବାରୋ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି କାଳିଆ ଚାଷୀ ମହାସମାବେଶ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭୂମିହୀନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ପୂର୍ବ ଘୋଷଣା ମୁତାବକ ଏହି ଯୋଜନାରେ ଭୂମିହୀନଙ୍କୁ ତିନୋଟି କିସ୍ତିରେ ମୋଟ 12 ହଜାର 5 ଶହ ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା ସମଗ୍ର ରାଜ୍ୟରେ ପ୍ରାୟ 10 ଲକ୍ଷ୍ୟ ଭୂମିହୀନ ଉପକୃତ ହେବେ।

ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି,"କାଳିଆ ଯୋଜନା ଦେଶରେ ଏକ ସର୍ବୋତ୍ତମ ଯୋଜନା । କିନ୍ତୁ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କରିଥିବା ଯୋଜନାରେ ଭୂମିହୀନ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ସେଥିରେ ଭୂମିହୀନଙ୍କୁ ସାମିଲ କରିବେ। "

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାୟ 3 ଲକ୍ଷ 50 ହଜାର ଚାଷୀ ଉପକୃତ ହେବେ ବୋଲି ଭୂମିହୀନଙ୍କୁ କାଳିଆ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଚାଷୀ ଉନ୍ନତି କଲେ ସେ ସବୁଠାରୁ ବେଶୀ ଖୁସି ହେବେ ବୋଲି ବକ୍ତବ୍ୟରେ କହିଥିଲେ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାର 18 ଗୋଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ସଭାସ୍ଥଳରୁ କରିଥିଲେ । ଯାହାର ବ୍ୟୟ ଅଟକଳ ପ୍ରାୟ 173 କୋଟି ଟଙ୍କା ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ 'କାଳିଆ ସହାୟତା ପତ୍ର' ମଧ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯିବା ସହ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଚାଷୀ ମଞ୍ଚରେ ବସିଥିଲେ। ଦୁଇଟି ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର କର୍ମୀ ଓ ସାଧାରଣ ଜନତା ଏହି ଅବସରରେ ସାମିଲ ହୋଇଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details