କେନ୍ଦ୍ରାପଡା: ଦୀର୍ଘ ୧୯ବର୍ଷ ଧରି ଶ୍ରମିକ ଭାବେ ବସ୍ତା ପରେ ବସ୍ତା ବୋହି ପରିବାର ପ୍ରତିପୋଷଣ କରୁଛନ୍ତି । ଆଉ ଏବେ ଯୋଗାଣ ବିଭାଗର ଚଞ୍ଚକତା ପାଇଁ ବେରୋଜଗାର ହେବା ଆଶଙ୍କାରେ ସରକାରୀ ପଣ୍ୟଗାର ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ୨୧ଜଣ ଶ୍ରମିକ । ଏ ହେଉଛି କେନ୍ଦ୍ରାପଡ଼ା ବେସାମରିକ ଯୋଗାଣ ବିଭାଗ ଅଧିନ ଲକ୍ଷ୍ମୀନାରାୟଣପୁର ସରକାରୀ ଶସ୍ୟ ପଣ୍ୟଗାର ସମ୍ମୁଖର ଦୃଶ୍ୟ ।
ପଣ୍ଯାଗାରରୁ ରାଜନଗର ବ୍ଲକକୁ ବାଦ ଦେବା ପ୍ରତିବାଦରେ ଶ୍ରମିକଙ୍କ ଆନ୍ଦୋଳନ ୨୦୧୭ ମସିହାରୁ ପ୍ରତିମାସରେ ଲକ୍ଷ୍ମୀନାରାୟଣପୁରରେ ଥିବା ଶସ୍ୟଗରରୁ ଡେରାବିଶ୍ ଓ ରାଜନଗର ବ୍ଲକ ପାଇଁ ପିଡ଼ିଏସ ଚାଉଳ ଉଠାଯାଉ ଥିବାବେଳେ ଦୁଇଟି ବ୍ଲକରେ ଉଭୟ ଗହମ ଓ ଚାଉଳ ପ୍ୟାକେଟର ପରିମାଣ ଥିଲା ୨୬ହଜାର । ଏକ ପ୍ୟାକେଟକୁ ଠିକାଦାର ଠାରୁ ୩ ଟଙ୍କା ହିସାବରେ ଏମାନେ ୭୮ ହଜାର ଟଙ୍କା ଆୟ କରୁ ଥିବାବେଳେ ଜାନୁଆରୀରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ନିଜସ୍ୱ ମିଲ ଚାଉଳ ଆସୁଥିବାରୁ ଅନଲୋଡିଂ ବାବଦକୁ ଏମାନଙ୍କ ଆୟ ମାସିକ ୫୦ହଜାର ଟଙ୍କା ରହୁଥିଲା । ମାସ ଶେଷକୁ ଜଣେ ଶ୍ରମିକ ୧୦ହଜାର ଟଙ୍କା ଆୟ କରି ପରିବାର ପ୍ରତିପୋଷଣ କରୁଥିଲେ ।
ହଠାତ ରାଜନଗର ବ୍ଳକକୁ ଆଳି ବ୍ଲକରେ ଥିବା ୱେୟାର ହାଉସରେ ସାମିଲ କରିବାକୁ ଯୋଜନା ହେଉଥିବା ଶୁଣି ପରିବାରର ପ୍ରତିପୋଷଣ କିପରି କରାଯିବ ସେନେଇ ଧାରଣା ଦେଇଛନ୍ତି ଶ୍ରମିକ । କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଯେପର୍ଯ୍ୟନ୍ତ ଲିଖିତ ପ୍ରତିଶ୍ରୁତି ମିଳିନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଯଦି ରାଜନଗର ବ୍ଲକକୁ ଏଠାରୁ କାଢି ନିଆଯାଏ ତେବେ ପ୍ରତିମାସରେ ମାତ୍ର ୧୨ହଜାର ପ୍ୟାକେଟ ଚାଉଳ ଲୋଡ଼ କରିବା ବାବଦକୁ ମାତ୍ର ୩୬ ହଜାର ଟଙ୍କା ମିଳିବାକୁ ଥିବାବେଳେ ଏହି ଟଙ୍କାକୁ ୨୧ଜଣଙ୍କ ମଧ୍ୟରେ ଭାଗ କଲେ ମାତ୍ର ୧ରୁ ଦେଢ଼ ହଜାର ଟଙ୍କା ପଡିବ, ଯେଉଁଥିରେ କି ଗୋଟିଏ ମାସ ପରିବାର ପ୍ରତିପୋଷଣ କରିବା ସମ୍ଭବପର ନୁହେଁ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକ । ଏନେଇ ଅତିରିକ୍ତ ଯୋଗାଣ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ