ଓଡିଶା

odisha

ETV Bharat / state

ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା, ଚିକମିକ୍ ଆଲୋକରେ ଝଲସୁଛି ସହର - famous gajalaxmi puja

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା ଜିଲ୍ଲା । ସନ୍ଧ୍ୟା ହେଲେ ଭଳିକି ଭଳି ତୋରଣ ସାଙ୍ଗକୁ ଚିକମିକ୍ ଆଲୋକରେ ଝଲସୁଛି ସହର। ଅଧିକ ପଢନ୍ତୁ

gajalaxmi puja in kendrapara
କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା

By ETV Bharat Odisha Team

Published : Oct 30, 2023, 8:29 PM IST

କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା: ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ସନ୍ଧ୍ୟା ହେଲେ ଭଳିକି ଭଳି ତୋରଣ ସାଙ୍ଗକୁ ଚିକମିକ୍ ଆଲୋକରେ ଚମକି ଉଠୁଛି ସାରା ସହର। କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ଗଣପର୍ବ ପ୍ରଥମ ଦିନ ଚନ୍ଦ୍ରଗ୍ରହଣ ପାଇଁ ଫିକା ପଡିଥିଲା । ହେଲେ ଦ୍ଵିତୀୟ ଦିନ ଠାରୁ ଆରମ୍ଭ ହୋଇଛି ଭକ୍ତଙ୍କ ସମାଗମ। ଧରାଧାମକୁ ଓହ୍ଲାଇଛନ୍ତି ଧନଦାତ୍ରୀ ଦେବୀ ମା' ଲକ୍ଷ୍ମୀ। ଗଜ ବାହନରେ ଆସିଥିବାରୁ ଧନଦାତ୍ରୀଙ୍କୁ ଗଜଲକ୍ଷ୍ମୀ ବେଶରେ ପୂଜା କରାଯିବାର ରହିଛି ପରମ୍ପରା । ପ୍ରତିବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଇଥାଏ ଗଜଲକ୍ଷ୍ମୀ ପୂଜା ।

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା । ଶନିବାର କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ କାରଣରୁ ପ୍ରତ୍ୟେକ ପୂଜା ମଣ୍ଡପରେ ସକାଳୁ ସକାଳୁ ପୂଜା କାର୍ଯ୍ୟ ସମାପନ କରାଯାଇ ଅପରାହ୍ନ ସୁଦ୍ଧା ମଣ୍ଡପରେ ପହଡ଼ ଲାଗି କରାଯାଇଥିଲା। ତେବେ ୨ ବର୍ଷ ଧରି ପରଦା ଆଢୁଆଳରେ ମା'ଙ୍କ ପୂଜା କରାଯାଉଥିଲା । ସେହିପରି ଗତବର୍ଷ ମଧ୍ୟ କଟକଣାରେ ପୂଜା ପାଇଥିଲେ ମା' । ହେଲେ ପୂଜାକୁ ଚଳିତବର୍ଷ ଖୁବ ଧୁମଧାମରେ ଏହି ଉତ୍ସବ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲାର ପୂଜା କମିଟି । ଆକର୍ଷଣୀୟ ତୋରଣ ସାଙ୍ଗକୁ ଲାଇଟ ଗେଟ, ଲିଚୁ ବଲବ, ବିଦେଶୀ ଲାଇଟ ଭକ୍ତ ଓ ଦର୍ଶକଙ୍କ ମନକୁ ବିମୋହିତ କରୁଛି।

ଏହା ବି ପଢନ୍ତୁ...ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର, ଭକ୍ତିମୟ ପରିବେଶରେ ଚାଲିଛି ମା’ଙ୍କ ଆରାଧନା

ଏହା ବି ପଢନ୍ତୁ...ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ


କେନ୍ଦ୍ରାପଡ଼ା ସହରରେ ଲକ୍ଷ୍ମୀପୂଜାର କିମ୍ବଦନ୍ତୀ ବହୁ ପୁରୁଣା। ପୂଜା ଆସିଲେ ସହରର ପ୍ରତି ଘରେ ଦୂର ଦୂରାନ୍ତରୁ ଆସି ପହଞ୍ଚଥାନ୍ତି ବନ୍ଧୁବାନ୍ଧବ । ମା'ଙ୍କ ପୂଜାର ୭ ଦିନ ପର୍ଯ୍ୟନ୍ତ ସହରର ପ୍ରତି ମେଢ଼ ଆଗରେ ପ୍ରବଳ ଭିଡ଼ ଜମିଥାଏ । ତେବେ ରବିବାର ଠାରୁ କେନ୍ଦ୍ରାପଡ଼ା ସହରର ୨୧ଟି ୱାର୍ଡରେ ୬୦ରୁ ଉର୍ଦ୍ଧ୍ବ ସ୍ଥାନରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତ୍ତିଙ୍କ ଆଗରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ସେହିପରି ସହରର ମହିପାଳ, ବଣିଆମାଳ, ସାନ୍ତସାହି, ବଣିଆସାହି, କାକଟ, କେଶପୁର ଓ ପୁରୁଣା ବସଷ୍ଟାଣ୍ଡ ଇତ୍ୟାଦି ସ୍ଥାନରେ ଭିଡ଼ ଜମିଥିବା ବେଳେ ପାଗ ଅନୁକୂଳ ଥିବା ହେତୁ ବ୍ୟବସାୟ ବୃଦ୍ଧି ଆଶା ରଖିଛନ୍ତି ରାସ୍ତା କଡ଼ ବୁଲା ବିକାଳୀ। ଆସନ୍ତା ଶୁକ୍ରବାର ମା'ଙ୍କର ବିସର୍ଜ୍ଜନ ପୂଜା ରହିଥିବ ବେଳେ ଚଳିତବର୍ଷ ବୁଲିବାର ଭରପୁର ମଜା ନେଉଛନ୍ତି ଦର୍ଶକ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details