କେନ୍ଦ୍ରାପଡା:ବାପା ଗରୀବ ଫେରିବାଲା । ସାଇକେଲରେ ଗାଁ ଗାଁ ବୁଲି ଷ୍ଟେସନରୀ ସାମଗ୍ରୀ ବିକ୍ରି କଲେ ପରିବାର ଚଳେ । ହେଲେ ଦୃଢ ମନୋବଳ ସହ ସବୁ ଅଭାବ ଅନଟନକୁ ପଛରେ ପକାଇ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଝିଅ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ଏମବିବିଏସରେ ଆଡମିଶନ କରିଛନ୍ତି । ମାତ୍ର ଡାକ୍ତରୀ ପାଠପଢା ପାଇଁ ଏବେ ଦରକାର ପଡୁଛି ଲକ୍ଷାଧିକ ଟଙ୍କା । ଏହାରି ଭିତରେ କିଛି ମାସ ତଳେ ତାଙ୍କ ବାପାଙ୍କ ଓପନ ହାର୍ଟ ସର୍ଜରୀ ହେବା ପରେ ପରିବାର ଚଳିବା ମୁସ୍କିଲ ହେଉଛି । ଆଉ ଏଭଳି ସମୟରେ ଏତେ ଗୁଡାଏ ଟଙ୍କା ବା ଆସିବ କେଉଁଠୁ, କିଏ ଦେବ ଟଙ୍କା ? ସେହି ଚିନ୍ତାରେ ଘାରି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ନରଡା ଗାଁର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ।
କେନ୍ଦ୍ରାପଡା ଗରଦପୁର ବ୍ଳକ ନରଡ଼ା ଗାଁର ବ୍ରଜକିଶୋର ସାହୁଙ୍କର ବଡ ଝିଅ ଶୁଭଲକ୍ଷ୍ମୀ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସାରା ରାଜ୍ୟରେ ୩୯୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପରିବାର କହିଲେ, ବାପାମାଆ, ସାନ ଭଉଣୀ ଓ ଭାଇ । ବାପା ବ୍ରଜକିଶୋର ଗାଁ ଗାଁ ବୁଲି ଷ୍ଟେସନାରୀ ସାମଗ୍ରୀ ବିକ୍ରି କରି ପରିବାର ଚଳାଉଥିଲେ । ହେଲେ କିଛି ମାସ ତଳେ ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି । ଯେଉଁଠି ନିଜେ ଚାଲିବା ମୁସ୍କିଲ ହେଉଛି, ସେଠି ଝିଅର ଡାକ୍ତରୀ ସ୍ବପ୍ନକୁ କିପରି ପୂରଣ କରିବେ ସେନେଇ ଚିନ୍ତାରେ ଉଭୟ ବ୍ରଜ ଓ ତାଙ୍କର ପତ୍ନୀ । ସେ ଜଣେ ବନ୍ଧୁକ ଆର୍ଥିକ ସହଯୋଗରେ ଶୁଭଲକ୍ଷ୍ମୀଙ୍କ ଡାକ୍ତରୀ ଆଡମିଶନର ଫକୀର ମୋହନ ବିଶ୍ଵ ବିଦ୍ୟାଳୟରେ କରିଛନ୍ତି । କିନ୍ତୁ ଆଗକୁ ପଢା ଖର୍ଚ୍ଚ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭଲକ୍ଷ୍ମୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ସମ୍ମାନକୁ ଦ୍ବିଗୁଣିତ କରୁଥିବା ବେଳେ କିଛି ଆର୍ଥିକ ସହଯୋଗ ମିଳିଲେ ଝିଅର ପଢ଼ା ଖର୍ଚ୍ଚ ମିଳିପାରନ୍ତା ବୋଲି କହିଛନ୍ତି ବ୍ରଜକିଶୋର ।
ଏହାମଧ୍ୟ ପଢନ୍ତୁ: ଭବିଷ୍ୟତ ଗଢ଼ିବେ ମେଧାବୀ ଆଦିବାସୀ ଛାତ୍ର, ଆର୍ଥିକ ସହାୟତା କଲା SDC
ଏନେଇ ଶୁଭଲକ୍ଷ୍ମୀ କହିଛନ୍ତି, ''ବର୍ତ୍ତମାନ ଏମବିବିଏସ ଆଡମିଶନ ସରିବା ପରେ ଅଧିକ ଅର୍ଥ ଦରକାର ପଡୁଛି । ହେଲେ ଏହି ସମୟରେ ବାପାଙ୍କ ଅସୁସ୍ଥତା ଯୋଗୁଁ ପାଠପଢାରେ ସମସ୍ୟା ହେଉଛି । ତେବେ ସଫଳତା ଏତେ ସହଜରରେ ଆସେନି । ସଫଳତା ପାଇବାକୁ ହେଲେ କଣ୍ଟକିତ ପଥ ଅତିକ୍ରମ କରିବାକୁ ପଡିବ । ଭବିଷ୍ୟତରେ ଭଲ ଡାକ୍ତରୀ ହୋଇ ସମସ୍ତଙ୍କ ସେବା କରିବି ଓ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ସାହାଯ୍ୟ କରିବା ମୋର ଲକ୍ଷ୍ୟ ।''