କେନ୍ଦ୍ରାପଡା: ସରିଲା ବାଲିଯାତ୍ରା । ଆୟୋଜକ ମଧ୍ୟ ଯେ ଯୁଆଡେ ଚାଲିଗଲେ । ଆଉ ଏବେ ବାଲିଯାତ୍ରା ପଡିଆରେ ପଡି ରହିଛି କୁଢ କୁଢ ଅଳିଆ । ଆଉ ଆବର୍ଜନା ସଫା କରିବାକୁ ଆଗେଇ କେନ୍ଦ୍ରାପଡ଼ା ସାଇକେଲ କ୍ଳବର ସଦସ୍ୟ, ଜିଲ୍ଲାର ବୁଦ୍ଧିଜୀବି ଏବଂ ଓଡ଼ିଶା ଜନସେବା ସଙ୍ଗଠନ । ଏହି ଅଭିଯାନରେ ସହରର ବିଭିନ୍ନ ବର୍ଗର ଲୋକ ମଧ୍ୟ ସାମିଲ ହୋଇଛନ୍ତି ।
ଭୁଲିଗଲେ ଆୟୋଜକ: ଆଗେଇ ଆସିଲେ 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' କେନ୍ଦ୍ରାପଡ଼ା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀ ପଠାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର । ନଦୀ ପଠାରେ ଜମି ରହିଛି କୁଢ କୁଢ ଅଳିଆ ଆବର୍ଜନା । ବୋଝ ବୋଝ ପଲିଥିନ୍ ମଧ୍ୟ ଏଣେତେଣେ ପଡିଛି l କିଛି ଦିନ ତଳେ ଏଠାରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା l କିନ୍ତୁ ଯାତ୍ରା ସରିଗଲା ପରେ ଆୟୋଜକମାନେ ନିଜ ଦାୟିତ୍ଵକୁ ଭୁଲି ଯାଇଛନ୍ତି ।
ତେବେ ଗୋବରୀ ନଦୀକୁ ଆବର୍ଜନା ମୁକ୍ତ କରିବା ପାଇଁ ଆଗେଇ ଆସିଛି 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' l ସୋମବାର କ୍ଳବ୍ର ସଦସ୍ୟ ଝାଡୁ ଧରି ନଦୀ ପଠାରେ ହାଜର ହୋଇଗଲେ । ତାପରେ ଚାଲିଲା ସଫେଇ କାର୍ଯ୍ୟ । କିଛି ସମୟ ମଧ୍ୟରେ ସମଗ୍ର ଯାତ୍ରା ପଡ଼ିଆକୁ ଆବର୍ଜନା ମୁକ୍ତ କରିଦେଲେ କ୍ଳବର ସଦସ୍ୟ ।
ତେବେ ସାଇକେଲ ଚାଳନା କରି ସ୍ବାସ୍ଥ୍ୟ ସଚେତନତାବାର୍ତ୍ତା ପ୍ରଚାର କରିବା ସହିତ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍ l ବାଲିଯାତ୍ରା ପଡିଆ ସଫେଇ କାର୍ଯ୍ୟରେ କ୍ଳବ୍ର ପ୍ରାୟ 60ଜଣ ସଦସ୍ୟ ସାମିଲ ହୋଇଥିଲେ । ଏହି ସଫେଇ ଅଭିଯାନରେ ଜିଲ୍ଲାର ପୋଲିସ, ପ୍ରଶାସକ, ଡାକ୍ତର, ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସାହିତ୍ୟିକ ଇତ୍ୟାଦି ସାମିଲ ହୋଇଥିଲେ l ବସ୍ତା ବସ୍ତା ପଲିଥିନ୍ ଓ ଆବର୍ଜନା ଏକାଠି କରି ନଷ୍ଟ କରିଥିଲେ l ତେବେ ଆବର୍ଜନା ଯେଉଁଠି ବି ପଡିଥାଉ ନା କାହିଁକି ତାକୁ ସଫା କରିବା ଦାୟିତ୍ଵ ଆମ ସମସ୍ତଙ୍କର ବୋଲି କ୍ଳବ୍ ସଦସ୍ୟ ମତ ପ୍ରକାଶ କରିଛନ୍ତି l
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ