କେନ୍ଦ୍ରାପଡ଼ା:ଓଡ଼ିଆ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ପୁଅ ଶୁଭାଶିଷ ନାୟକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅତି କମ ବୟସରେ ଆଜି ସେ ଏହି ସଫଳତା ହାସଲ କରିଛନ୍ତି । ଭାରତର ଐତିହାସିକ ମୁନ ମିଶନରେ ସେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଭାରତର 3ୟ ମୁନ ମିଶନ ଚନ୍ଦ୍ରଯାନ-3 ଟିମରେ ସେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ବେଶ ଗର୍ବ ଅନୁଭବ କରିଛନ୍ତି ତାଙ୍କ ପରିବାରଠୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟବାସୀ । କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ ଚନ୍ଦ୍ରଯାନ-୩ ର ବୈଷୟିକ ଟିମରେ କାର୍ଯ୍ୟ କରିଛନ୍ତି। ଖବର ଜଣାପଡିବା ପରେ ଶୁଭାଶିଷଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି ।
ମେକାନିକ କାର୍ଯ୍ୟରେ ପିଲାଟି ଦିନରୁ ଥିଲା ରୁଚି:-ଶୁଭାଶିଷ ପିଲାଟି ଦିନରୁ ବିଭିନ୍ନ ଯନ୍ତ୍ରାଂଶ ଏବଂ ବିଦ୍ୟୁତ ଉପକରଣ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ ପରେ ସ୍ଥାନୀୟ ଦାନପୁର ପଞ୍ଚାୟତ ଦୋହଳି ସ୍ଥିତ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିବା ପରେ କଟକ ଜଗତପୁର ସ୍ଥିତ ଏକ ଘରୋଇ ଆଇଟିଆଇ କଲେଜରେ ନାମ ଲେଖାଇଥିଲେ । ସେଠାରୁ ସଫଳତା ସହ ଉତ୍ତୀର୍ଣ୍ଣ ହେବାପରେ ଡିପ୍ଲୋମା ପାଠ ପଢିବା ପାଇଁ ଆଶା ରଖିଥିଲେ ସୁଦ୍ଧା ପାରିବାରିକ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଡିପ୍ଲୋମା ପାଠ ପଢି ପାରିନଥିଲେ । ତେବେ ଏଥିରେ ହାରି ନଯାଇ ଭୁବନେଶ୍ୱର ସ୍ଥିତ ସରକାରୀ CTTCରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିବା ବେଳେ ୨୦୧୮ ମସିହାରେ ISROରେ Technician ଭାବେ ଯୋଗଦେଇଥିଲେ । ପୁଅ ଚନ୍ଦ୍ର ଯାନ ଟିମରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଶୁଭାଶିଷଙ୍କ ବାପାମାଆ ଖୁସିବ୍ଯକ୍ତ କରିଛନ୍ତି l
ଏହା ବି ପଢନ୍ତୁ- ଆଜି ଜହ୍ନରାଇଜକୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ୍ କରୁଥିବା ରକେଟ ୱିମେନଙ୍କ ବିଷୟରେ
ପିତାମାତାଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା:- ଶୁଭାଶିଷଙ୍କ ଏହି ଯୋଗଦାନ ପାଇଁ ସାରା ଜିଲ୍ଲା ଗର୍ବ କରୁଥିବା ବେଳେ ଏହି ଅବସରରେ ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ଥିବା ISROରେ କାର୍ଯ୍ୟରତ ଟେକ୍ନିସିଆନ ଶୁଭାଶିଷ ନାୟକଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କୁ ବିଜେପି (BJP) ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁରେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ସେଠୀ, ବିଜେପି ନେତୃମଣ୍ଡଳୀ ତାପସ ରଞ୍ଜନ ନାୟକ ପ୍ରମୁଖ ମୁକୁନ୍ଦପୁର ଗାଁ ସ୍ଥିତ ସୁଭାଶିଷଙ୍କ ବାସଭବନକୁ ଯାଇଥିଲେ । ଉଭୟ ପିତାମାତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ ବିଜେପି କାର୍ଯ୍ୟକର୍ତ୍ତା । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶୁଭାଶିଷ ନାୟକଙ୍କ ପାଇଁ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ଓ ମହାପ୍ରଭୁଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିବା ବିଷୟରେ ତେଜେଶ୍ୱର ପରିଡ଼ା ତାଙ୍କ ବାପାମାଆଙ୍କୁ ମଧ୍ୟ ଜଣାଇଥିଲେ।