କେନ୍ଦ୍ରାପଡ଼ା: ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଜମ୍ବୁ ଅଞ୍ଚଳରେ । ଅଭିଯୁକ୍ତ ମାନସ ଜଣେ ମଦ୍ୟପ ହୋଇଥିବାବେଳେ ଜୁଆ ଖେଳିବା ଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ମଦ ପିଇବାକୁ ଏବଂ ଜୁଆ ଖେଳିବାକୁ ପ୍ରଥମେ ପତ୍ନୀ କଳ୍ପନାଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ ସ୍ବାମୀ । ଟଙ୍କା ନଥିବାରୁ କଳ୍ପନାଙ୍କ ବେକରେ ଥିବା ମଙ୍ଗଳସୂତ୍ର ଉପରେ ପଡିଥିଲା ମାନସର ନଜର । ହେଲେ ମଙ୍ଗଳସୂତ୍ର ଦେବା ପାଇଁ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମାନସ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘରଲୋକେ ।
ସୂଚନା ଅନୁସାରେ, କଂସାର ବଡଦାଣ୍ଡୁଆ ଗ୍ରାମର ଉମାକାନ୍ତ ଗିରିଙ୍କ ଝିଅ ହେଉଛନ୍ତି କଳ୍ପନା ଗିରି । ପ୍ରାୟ ଚାରିବର୍ଷ ତଳେ ଜମ୍ବୁ ଗ୍ରାମର ଅନୀଲ ସୁରଙ୍କ ପୁଅ ମାନସ ଗିରିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ କଳ୍ପନା । ବିବାହ ପରେ କଳ୍ପନାଙ୍କ ସ୍ବାମୀ ମାନସ ଜୁଆ ଓ ମଦ ପିଇବା ସହିତ ବାରମ୍ବାର କଳ୍ପନାଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ମାନସର ପରକୀୟା ପ୍ରୀତି ମଧ୍ୟ ରହିଥିଲା ଯେଉଁଥିପାଇଁ ପାରିବାରିକ କଳହ ଲାଗି ରହୁଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।