medicines found from paika river bank କେନ୍ଦ୍ରାପଡ଼ା:ଲୋକଙ୍କୁ ମିଳୁନି ହେଲେ ଫିଙ୍ଗା ଯାଉଛି ପୁଳା ପୁଳା ଔଷଧ । ନଦୀ କୂଳରେ ଫିଙ୍ଗା ହୋଇଛି ଆଇରନ ଏବଂ ଫଲିକ ଏସିଡ ଭଳି ଟାବଲେଟ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରୀ ଫେରିଘାଟ ପାଇକା ନଦୀ କୂଳରେ ମେଡିସିନ ପଡିଥିବା ଦେଖିବାକୁ ମିଳିଛି । ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଆଇରନ୍ ଓ ଫଲିକ ଏସିଡ୍ ନାମ ଲେଖାଯାଇଥିବା ଏହି "ସରକାରୀ" ଔଷଧ ଗୁଡିକର ଖୋଳ ଉପରେ ଏକ୍ସପାରି ଡେଟ୍ ଜାନୁୟାରୀ ୨୦୨୪ ଲେଖାଯାଇଛି । ତେବେ ମେଡିସିନ ଗୁଡିକ ଏକ୍ସପାରି ହୋଇନଥିବା ବେଳେ କାହିଁକି ଏଗୁଡିକୁ ଫିଙ୍ଗିଦିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁରୁବାର ସକାଳୁ କିଛି ଚାଷୀ ନଦୀ କୂଳରେ ଥିବା ବିଲକୁ ପାଣି ମଡାଇବା ପାଇଁ ଯାଇଥିବା ବେଳେ ଏହି ଔଷଧ ଗୁଡିକ ପଡିଥିବାର ଦେଖିବାକୁ ପାଇଥିଲେ। କିଏ ଓ କେଉଁ ପରିସ୍ଥିତିରେ ଏହି ଔଷଧ ଗୁଡିକ ନଦୀ କୂଳରେ ଫିଙ୍ଗିଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଔଷଧ ଗୁଡିକ ସମସ୍ତ ବୟସର ବ୍ୟକ୍ତି ଖାଇପାରିବେ ବୋଲି ସରକାରୀ ନିୟମ ରହିଛି। ବିଶେଷ କରି କିଶୋରୀ ଏବଂ ମହିଳାଙ୍କ ରକ୍ତହୀନତା ପାଇଁ ଏହି ବଟିକା ଖାଇବା ନିହାତି ଆବଶ୍ୟକ । ଯେଉଁଥି ପାଇଁ ସ୍କୁଲ ଓ ଅଙ୍ଗନବାଡି ମାଧ୍ୟମରେ ମହିଳା ମାନଙ୍କୁ ଏହାକୁ ଯୋଗାଇ ଦିଆଯାଇଥାଏ । କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ପରିମାଣର ଔଷଧ ନଦୀ କୂଳରେ ପଡିଛି ଏହାର ତଦନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଜୀବନ ରକ୍ଷାକାରୀ ଔଷଧ ଭାବେ ସରକାର ବିଭିନ୍ନ ସ୍ଥାନରେ ମାଗଣା ମେଡିସିନ ଉପଲବ୍ଧ କରାଉଥିବା ବେଳେ ସେଗୁଡିକ କାର୍ଯ୍ୟରେ ନଲାଗି ଏଭଳି ଫିଙ୍ଗା ଯିବା ଅତ୍ୟନ୍ତ ନିନ୍ଦନୀୟ ।
ତେବେ ଏହି ଗାଁରେ ଥିବା ଅଙ୍ଗନବାଡି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ମେଡ଼ିସିନ ଷ୍ଟକ ଏବଂ ବିତରଣକୁ ଯାଞ୍ଚ କରିବା ପାଇଁ ଲୋକେ ଦାବି କରିଛନ୍ତି । ରାଜ୍ୟ ସରକାର ନିରାମୟ ଯୋଜନାରେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଶିଶୁ ଏବଂ କିଶୋରୀ ମାନଙ୍କ ପାଇଁ ବିଭିନ୍ନ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମାଗଣା ଔଷଧ ଯୋଗାଇ ଦେଉଥିବା ବେଳେ ଏତେ ସଂଖ୍ୟକ ଔଷଧ ଗୁଡିକୁ ଫିଙ୍ଗା ଯିବା ବେଶ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡ଼ଃ ଅନିତା ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, କେନ୍ଦ୍ରାପଡା