କେନ୍ଦ୍ରାପଡା: ରେଳ ପାଇଁ ସରଗରମ ରାଜନୀତି। ରେଳ ଗଡ଼ିବା ସମୟରେ ରାଜନୀତି ଏବେ ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ, ଆଉ କିଛି ବାଟ ନପାଇ 30ଟି ବଗିରେ ଧଳା ପଥର ଧରି ପାରାଦୀପରୁ ହରିଦାସପୁର ଯାଉଥିବା ମାଲବାହୀ ରେଳଗାଡି ପଛକୁ ଫେରିଛି।
ଦେଶରେ ରେଳଗାଡି ଗଡ଼ିବାର 167ବର୍ଷ । ସ୍ବାଧୀନତାର 73 ବର୍ଷ ଓ ନୂତନ ରେଳ ଲାଇନ ଭିତ୍ତିପ୍ରସ୍ତର ସ୍ଥାପନ ହେବାର 23 ବର୍ଷ ପରେ ଜିଲ୍ଲା ମଧ୍ୟଦେଇ ଗଡ଼ିବାର ଥିଲା ଟ୍ରେନ । ଗତ 31ଜୁଲାଇରେ ଏକ ମାଲବାହୀ ଟ୍ରେନ ଧଳାପଥର ଧରି ପାରାଦୀପରୁ ହରିଦାସପୁର ଯାଉଥିବାବେଳେ କେନ୍ଦ୍ରାପଡ଼ା ନୂଆଗାଁ ଷ୍ଟେସନ ନିକଟରେ ସଂଖ୍ୟାଧିକ ଲୋକେ ଟ୍ରେନକୁ ଅଟକାଇଥିଲେ । ଆଉ ଦାବି ରହିଥିଲା ପାସେଞ୍ଜର ଟ୍ରେନ ଚଳାଇବା । ଏମିତିକି ଜିଦରେ ଅଟଳ ରହି ମାଲବାହୀ ଟ୍ରେନକୁ ନୂଆଗାଁ ଷ୍ଟେସନରୁ ଫେରାଇ ଦେଇଥିଲେ। ଅପରପକ୍ଷରେ ଜିଲ୍ଲାର ବିକାଶ ଦିଗରେ ରେଳ ଚଳାଚଳ ଅପରିହାର୍ଯ୍ୟ ହୋଇପଡିଥିବାବେଳେ ପାସେଞ୍ଜର ଟ୍ରେନକୁ ଆଳ କରି ଏବେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ । ସେପଟେ ମାଲବାହୀ ଟ୍ରେନ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନତି ଘଟିବାର ସମ୍ଭାବନା ରହିଛି । ଅନ୍ୟପଟେ ପାସେଞ୍ଜର ଟ୍ରେନ ଚାଲିଲେ ଅନେକ ଯୁବକ ଯୁବତୀ ଚାକିରୀ ପାଇବା ସହ ବେପାର ବଣିଜ କରିବାକୁ ଯାଇପାରିବେ ବୋଲି କୁହନ୍ତି ବୁଦ୍ଧିଜୀବୀ।
ରାଜନୀତିର ପଶାପାଲିରେ ଗଡିପାରୁନି ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ ! ଫାଟକ ବିହୀନ 82 କିଲୋମିଟରର ଏହି ରେଳ ଧାରଣା ଉପରେ ରେଳ ଚାଲିବା ଆଗରୁ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଏହି ରୁଟରେ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଦାବି କରିଥିଲେ। ବର୍ତ୍ତମାନ ରେଲୱେ କମିଟି ସଦସ୍ୟ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏହି ଦାବି ଉଠାଇଛନ୍ତି । ସେପଟେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡ଼ାବାସୀଙ୍କ କ୍ଷୋଭ ସ୍ବରୂପ ମାଲବାହୀ ଟ୍ରେନକୁ ଅଟକ ରଖାଯାଇଥିବା କହିଛନ୍ତି । ଯେପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟ କେନ୍ଦ୍ରାପଡ଼ା ରେଳ ଧାରଣାରେ ପାସେଞ୍ଜର ଟ୍ରେନ ଚଳାଇବା ସ୍ପଷ୍ଟ ନକରିଛି ସେପର୍ଯ୍ୟନ୍ତ ଏଭଳି ବିଭ୍ରାଟ ଜନସାଧାରଣଙ୍କ ଦ୍ବାରା ହେଉଥିବା ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ଉପ ସଭାପତି ଏହି ଘଟଣାକୁ ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି।
ତେବେ ରାଜନୀତିର ଏହି ପଶାପାଲି ଖେଳରେ କେବେ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିବାସୀ ସମ୍ପୂର୍ଣ୍ଣ ରେଳ ଦେଖିବେ ଓ ଏଥିରେ ବସି ପାରାଦୀପରୁ ହରିଦାସପୁର ଯିବେ ସେ ସମୟକୁ ଅପେକ୍ଷା । ଅନ୍ୟପଟେ ପୂର୍ବତଟ ରେଳବାଇର କହିବା କଥା ଯଦି ଏହାକୁ ନେଇ ଅଧିକ ସମସ୍ୟା ଉପୁଜେ ଟ୍ରେନ ଚଳାଚଳର ଭାଗ୍ୟ ଆଗକୁ କଣ ହେବ ତାହା କହିବା ମୁସ୍କିଲ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ