କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଦର୍ଶନ କରିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ । ପରିଦର୍ଶନ ସମୟରେ ରାଜ୍ୟପାଳ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହଠାତ୍ ରାଜ୍ୟପାଳଙ୍କ ଗାଡି ଆଗକୁ ପଶି ଆସି ନିଜ ଦୁଃଖ ଜଣାଇଥିଲେ ଜଣେ ମହିଳା । ସେହି ନିରାଶ୍ରୟ ମହିଳାଙ୍କ ପରିବାକୁ ଘରଟିଏ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ପୂର୍ବାହ୍ନରେ କପାଳେଶ୍ୱର ପଞ୍ଚାୟତ ଜଜାଙ୍ଗ ଗାଁରେ ସଂକଳ୍ପ ପ୍ରକଳ୍ପରେ ହେଉଥିବା କାଇଞ୍ଚ କାମ ଦେଖିବା ସହ ମହିଳାଙ୍କ ସହ ଆଲୋଚନା ସାରି ଫେରୁଥିଲେ ରାଜ୍ୟପାଳ । ସେହି ଗାଁର ସସ୍ମିତା ତ୍ରିପାଠୀ ନାମକ ଜଣେ ମହିଳା ହଠାତ ରାଜ୍ୟପାଳଙ୍କ ଗାଡି ଆଗକୁ ଆସି ନିଜର ଦୁଃଖ ବଖାଣିଥିଲେ।
ସରକାରୀ ଅଧିକାରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବାହିନୀ ସସ୍ମିତାଙ୍କୁ ବାରଣ କରିଥିଲେ ସୁଦ୍ଧା କାହାରିକୁ ଖାତିର ନକରି ସସ୍ମିତା ନିଜର ଭଙ୍ଗା ଘର ଦେଖିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ଆଉ ରାଜ୍ୟପାଳ ଗାଡିରୁ ଓହ୍ଲାଇ ସସ୍ମିତାଙ୍କ ଘରର ଦୁରାବସ୍ଥା ଦେଖି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ୠତୁରାଜ ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ସସ୍ମିତା ନିଜର ଦୁଇ ଝିଅ, ପୁଅ ଓ ସ୍ୱାମୀଙ୍କ ସହ ଏହି ଭଙ୍ଗା ଘରେ ଦୀର୍ଘଦିନ ଧରି ରହି ଆସୁଥିଲେ । ତାଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରନ୍ତି । ଘରଟିଏ ପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଆଜି ରାଜ୍ୟପାଳ ତାଙ୍କ ଗାଁକୁ ଆସିଥିବାବେଳେ ସସ୍ମିତା ଦୁଃଖ ଜଣାଇବାପରେ ରାଜ୍ୟପାଳଙ୍କ ପ୍ରତିଶ୍ରୁତି ଓ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଆଶା ରଖିଛନ୍ତି ସସ୍ମିତା।