କେନ୍ଦ୍ରାପଡ଼ା:ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଝିଲିମିଲି ଆଲୋକରେ ସଜା ହୋଇଛି ତୋରଣ । କୋଭିଡ ମହାମାରୀ ପାଇଁ ଲଗାତାର ଦୁଇବର୍ଷ ଧରି ବନ୍ଦ ଥିଲା ଗଜଲକ୍ଷ୍ମୀ ପୂଜା । ହେଲେ ଚଳିତ ବର୍ଷ କୋରୋନା କଟକଣା ନଥିବାରୁ ବେଶ ଧୁମଧାମରେ ପାଳିତ ହୋଇଛି ଗଜଲକ୍ଷ୍ମୀ ପୂଜା ।
ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସଭାପତିତ୍ୱରେ ପୋଲିସ ମୁତୟନ କରାଯାଇଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କେଶପୁର, ତିନିମୁହାଣୀ ଆଦି ୬ଟି ସ୍ଥାନରେ ଅସ୍ଥାୟୀ ପୋଲିସ ଫାଣ୍ଡି କରାଯାଇଛି ।
କେନ୍ଦ୍ରାପଡ଼ାରେ ଜମୁଛି ଗଜଲକ୍ଷ୍ମୀ ପୂଜା, ସହରକୁ ଜଗିଛନ୍ତି ୨୦ପ୍ଲାଟୁନ ପୋଲିସ ଫୋର୍ସ ସେହିପରି ଟ୍ରାଫିକ ନିୟନ୍ତ୍ରଣ ଓ ଛୋଟମୋଟ ଅପରାଧୀକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ମୋବାଇଲ ପାଟ୍ରୋଲିଂ ଭ୍ୟାନ ଗଠନ କରାଯାଇଛି । ସହରରେ ମୋଟ ୭ଜଣ ଡ଼ିଏସପି, ୧୫ଜଣ ଆଇଆଇସି ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି । କେନ୍ଦ୍ରାପଡ଼ା ସହରର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ୬୯ଟି ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ ହୋଇଛି।
ସେହିପରି ସହରରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ସଚଳ କରାଯାଇଥିବା ବେଳେ ଜିଲ୍ଲାବାସୀ ପୋଲିସ ପ୍ରଶାସନକୁ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଏସପି । ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର ।
ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପୁଛି ଗଗନ ପବନ । ସାଧାରଣତଃ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ ।
ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ତେଣୁ ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା