କେନ୍ଦ୍ରାପଡା: 20 ବର୍ଷ ପରେ ପୁଣି ରାଜ୍ୟରେ ଦେଖାଦେଇଥିଲା ମହାବାତ୍ୟାର ଅବିକଳ ନକଲ । ଘଣ୍ଟାପ୍ରତି ପ୍ରାୟ 200 କିଲୋମିଟରରୁ ଅଧିକ ବେଗରେ ପବନ ବୋହିବା ସହ ଆରମ୍ଭ ହୋଇଥିଲା ‘ଫନି’ର ତାଣ୍ଡବ । ଦେଖୁ ଦେଖୁ ନଷ୍ଟ ହୋଇଯାଇଥିଲା ଅନେକଙ୍କ ଘର । କ୍ଷଣିକରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା ଅନେକ ଅଞ୍ଚଳ । ଏପରି ସ୍ଥିତିରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ରାଜ୍ୟ ସରକାର ।
ବାତ୍ୟାର ମାତ୍ର 24 ଘଣ୍ଟା ପୂର୍ବରୁ ଯୁଦ୍ଧାକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ତେବେ ବର୍ବରତା ଓ ଅନ୍ୟାୟ ନିଷ୍ପତ୍ତି ପାଇଁ ଜଣା ଯାଉଥିବା କେନ୍ଦ୍ରାପଡା ପୋଲିସ ଏହି ସମୟରେ ଦେଖାଇଥିଲା ମାନବିକତାର ପ୍ରକୃତ ପରିଚୟ । ନିଜ ଖାକି ପୋଷାକର ଚାରି କାନ୍ଥ ଭିତରୁ ବାହାରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ବଢାଇଥିଲା ସହାୟତାର ହାତ । ଆଣ୍ଠୁଏ ଆଣ୍ଠୁଏ କାଦୁଅ ଭିତରେ ପଶି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ସହ ଓ କୋଳେଇ ଆଣିଥିଲେ କୋମଳ ଶିଶୁଙ୍କୁ । ଏଦୃଶ୍ୟ କିଛି ଦେଖିବାକୁ ଯେତିକି ହୃଦୟସ୍ପର୍ଶୀ ଥିଲା ବାସ୍ତବରେ ସେତିକି ସଂଘର୍ଷଯୁକ୍ତ ରହିଥିଲା ।
ତାଳଚୁଆ ସାମୂଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କ ଅଧିନରେ ସମୂଦ୍ରକୂଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ ପୂରା ଟିମ୍ । ବିନା କୌଣସି ପ୍ରଶ୍ନରେ ସଭିଏଁ ଲାଗି ପଡିଥଲେ ନିଜ କର୍ତ୍ତବ୍ୟ ନିଭାଇବାରେ । ଏପରି ସ୍ଥିତିରେ ବାଇକ ଧରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବୋହି ନେଇଥିଲେ ସମ୍ପୃକ୍ତ ଥାନାର ମହିଳା କନଷ୍ଟେବଳ ପ୍ରୀତିସ୍ମୀତା ପରିଡା । ଲଗାଣ ବର୍ଷା ଯୋଗୁଁ ସମୂଦ୍ରକୂଳିଆ ରାସ୍ତାରେ କାଦୁଅ ଜମିଥିବା ବେଳେ ଏହାକୁ ଟିକେ ବି ଖାତିର ନକରି ବାଇକରେ ଲୋକଙ୍କୁ ବୋହିବା ଆରମ୍ଭ କରିଥିଲେ ପ୍ରୀତିସ୍ମିତା ।
ବାତ୍ୟାର ବିଭୀଷିକା ସମୟରେ ନିଜ ଜୀବନର ଖାତିର ନକରି ପୋଲିସ ବାବୁଙ୍କୁ ମାନବିକତା ଦେଖି କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ ସାଧାରଣ ଲୋକେ । ଅନ୍ୟପଟେ ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରୁଥିବା ବେଳେ ଅତି ଧୈର୍ଯ୍ୟର ସହ ଲୋକଙ୍କୁ ବୁଝାସୁଝା କରିଥିଲେ ପୋଲିସ ବାବୁ । ଯାହା ସୋସିଆଲ ମିଡିଆରେ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ । ସେ ଆଇଆଇସି ବାବୁଙ୍କୁ 6 ମାସ ଛୁଆକୁ କାଖେଇ କାଦୁଅ ରାସ୍ତା ପାର ହେବା ଦୃଶ୍ୟ ହେଉ କି ପ୍ରୀତିସ୍ମିତାଙ୍କ ବାଇକରେ ଉଦ୍ଧାର କାର୍ଯ୍ୟ ହେଉ, ଏସବୁ ପାଲଟିଥିଲା ଚର୍ଚ୍ଚାର ବିଷୟ ।