କେନ୍ଦ୍ରାପଡା: ମହାବାତ୍ୟା 'ଫନି'କୁ ଏକ ମାସ ପୁରଣ ହୋଇଥିଲେ ସୁଧା ଫନିରେ କ୍ଷୟକ୍ଷତି ହୋଇଥିବା ଶିକ୍ଷା ଅନୁଷ୍ଠାନ ଗୁଡିକ ଏବେ ବି ଭଗ୍ନ ସ୍ତୁପ ଅବସ୍ଥାରେ ପଡି ରହିଛି । ଦିନ କେଇଟା ପରେ ଖରା ଛୁଟି ସରିବ, ସ୍କୁଲ ଖୋଲିବ । ମାତ୍ର ସ୍କୁଲ ଅବସ୍ଥା ଦେଖିଲା ପରେ ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ବିଦ୍ୟାଳୟରେ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ଗ୍ରାମରେ ଥିବା ସଂସ୍କୃତ ଉଚ୍ଚବିଦ୍ୟାଳୟଟି ମହାବାତ୍ୟା ଫନିରେ ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇ ଭାଙ୍ଗି ଛାରଖାର ହୋଇଯାଇଛି । ବିଦ୍ୟାଳୟ ଘରର ଆଜବେଷ୍ଟସ ସମ୍ପୂର୍ଣ୍ଣ ଉଡିଯାଇ ଥିବାବେଳେ ଚେୟାର ଟେବୁଲ ବେଞ୍ଚ୍ ଡେକ୍ସ ସମେତ ବିଦ୍ୟାଳୟର କାଗଜପତ୍ର ନଷ୍ଟ ହୋଇଯାଇଛି । ବତ୍ୟାକୁ ଏକମାସ ପୂରଣ ହୋଇଥିଲେ ସୁଧା ଏପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟିକୁ ଆସିନାହିଁ । ଏହି ବିଦ୍ୟାଳୟର ନିର୍ମାଣ ପାଇଁ ଗ୍ରାମବାସୀ ତଥା ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।