କେନ୍ଦ୍ରାପଡା: ବିଧାୟକଙ୍କ ସଭାରେ ଅଣ୍ଡାମାଡ । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସଭାରେ ଅଣ୍ଡାମାଡ ହୋଇଥିବା ଦେଖିବାକୁ ମିଳିଛି । ମଞ୍ଚରେ ଭାଷଣ ଦେବା ସମୟରେ ମଞ୍ଚକୁ କେହି ଜଣେ ଅଣ୍ଡାମାଡ କରିଥିଲେ । ଗାନ୍ଧିଜୀଙ୍କ କେନ୍ଦ୍ରାପଡ଼ା ଇନ୍ଦୁପୁର ଆଗମନକୁ ସ୍ମରଣୀୟ କରିବା ପାଇଁ ଇନ୍ଦୁପୁର ପଞ୍ଚାୟତ ପକ୍ଷରୁ ଗାନ୍ଧୀଙ୍କ ସ୍ମୃତିରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଶଶୀଭୂଷଣ ବେହେର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ନେଇ ମଞ୍ଚରେ ଭାଷଣ ଦେବା ସମୟରେ ଅଚାନକ ତାଙ୍କ ମଞ୍ଚ ଉପରକୁ କେହି ଜଣେ ଅଣ୍ଡାମାଡ କରିଥିଲେ ।
ଦୀର୍ଘଦିନ ପରେ ଶଶୀଭୂଷଣ ଦଳୀୟ କର୍ମୀଙ୍କ ପଟୁଆର ଓ ସୁରକ୍ଷା ବଳୟ ମଧ୍ୟରେ ସଭାମଞ୍ଚରେ ପହଞ୍ଚିଥିଲେ । ମଞ୍ଚ ତଳେ ଶଶୀଭୂଷଣଙ୍କ ପୁଅ ସତ୍ୟପ୍ରକାଶ ଓରଫ ଗୁଡୁ ବସିଥିବା ବେଳେ ସଭାମଞ୍ଚରେ ଗାନ୍ଧିଜୀଙ୍କ ଗୁଣଗାନ କରୁଥିଲେ ବିଧାୟକ ଶଶୀଭୂଷଣ ।ଏହି ସମୟରେ ମଞ୍ଚ ନିକଟର ଏକ ଛାତ ଉପରୁ ଏକକାଳୀନ ଦୁଇ ତିନୋଟି ଅଣ୍ଡା ମଞ୍ଚ ନିକଟରେ ଆସି ପଡିବା ପରେ ସଭା ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଧାୟକଙ୍କ ସମର୍ଥକ ଓ ପୋଲିସ ବାହିନୀ ଉକ୍ତ ଛାତ ଉପରକୁ ଯାଇ ଦେଖିବା ବେଳେ ଅଣ୍ଡା ମାଡ଼ କରିଥିଲେ କିଛି ଦୁର୍ବୃତ୍ତ । ଏହା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଦୀର୍ଘ ୪ ବର୍ଷ ଧରି ନିର୍ବାଚିତ ହେବା ପରେ କର୍ମୀଙ୍କୁ ଅଣଦେଖା କରି ପ୍ରତ୍ୟେକ କାର୍ଯ୍ୟରେ ପୁଅ ସତ୍ୟପ୍ରକାଶକୁ ନିଯୁକ୍ତ କରିବା ଓ ପ୍ରତ୍ୟେକ କାମରେ ଲାଭଖୋର ମନୋଭାବ ରଖିବା କାରଣରୁ ହିଁ ବିଧାୟକ ବିରୋଧର ଶିକାର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ନିକଟରେ ପାରିବାରିକ ବିବାଦ ପରେ ଚର୍ଚ୍ଚାକୁ ଆସିବା ପରେ ନିଜ ନିର୍ବାଚନ ମଣ୍ଡଳୀର ଏକ ସଭାରେ ଯୋଗ ଦେବାକୁ ଆସିଥିଲେ ଶଶୀଭୂଷଣ । ପାରିବାରିକ ବିବାଦ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଏଭଳି ବିରୋଧ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଧାୟକ ଶଶୀଭୂଷଣ ବେହେରା ଗଣମାଧ୍ୟମକୁ ସାମ୍ନା ନକରି ନିଜ ସମର୍ଥକଙ୍କ ଆଢୁଆଳରେ ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଜଣେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ହୋହାଲ୍ଲାକୁ ଶଶୀଭୂଷଣଙ୍କ ସମର୍ଥକମାନେ ଜବରଦସ୍ତି ବନ୍ଦ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଅଭିଯୋଗ କରିବାକୁ ଆସିଥିବା ଏଭଳି ଯୁବକଙ୍କୁ ଅଟକ ରଖାଯାଇଥିଲା ।