କେନ୍ଦ୍ରାପଡା:ବିଶ୍ବକୁ ଛୁଇଁଲା ନୂଆ ବର୍ଷର ପ୍ରଥମ ସୂର୍ଯ୍ୟ । ନୂଆ ଆଶା, ନୂଆ ସମ୍ଭାବନା ନେଇ 2023କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ବଳଦେବଜୀଉ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଛି । କୋଭିଡ ମହାମାରୀ ଯୋଗୁଁ ୨୦୨୧ ଓ ୨୦୨୨ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ବଳଦେବଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ରାତ୍ରି ୩ ଘଟିକାରୁ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି । ଆଜି ଇଂରାଜୀ ନବବର୍ଷ ଓ ପବିତ୍ର ଶାମ୍ବ ଦଶମୀ (ସୂର୍ଯ୍ୟ ପୂଜା) ପାଇଁ ମନ୍ଦିରର ଭିଡକୁ ଲକ୍ଷ୍ୟ କରି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବଳଦେବଜୀଉଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ସମାଗମ ହୋଇଛି । ସକାଳ ଆଳତୀ ଦର୍ଶନ ଓ ପହିଲି ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁଙ୍କଠାରେ ଉତ୍କଣ୍ଠା ଦେଖିବାକୁ ମିଳିଥିବା କହିଛନ୍ତି ପୂଜାପଣ୍ଡା । ଜୟମଙ୍ଗଳା,ନୀତିସ୍ନାନ,ବଲ୍ଲଭ ଭୋଗ ପରେ ପହିଲି ଭୋଗରେ ପୋଡପିଠା, ପକୁଡି, ଡାଳିମ୍ବ ଓ କାକରା ପିଠା ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ,ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ନିକଟରେ ଭୋଗ ଲାଗିଛି । ଏହି ଦର୍ଶନ ପାଇ ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହୋଇଥାଏ ବିଶ୍ବାସ ରହିଛି ।