କେନ୍ଦ୍ରାପଡା:ରଜ ଉତ୍ସବ ପାଳୁଛନ୍ତି ରାଜ୍ୟବାସୀ । ହେଲେ କାନ୍ଦ ବୋବାଳିରେ ଫାଟି ପଡୁଛି ଗୋଟିଏ ପରିବାର । ପହିଲି ରଜରେ ଘଟିଛି ବଡ ଅଘଟଣ । ଗୋଟିଏ ମାଆ କୋଳ ଖାଲି ହୋଇଛି । କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଲା କୁମ୍ଭୀର । ଶୌଚ ହେବାକୁ ଯାଇଥିବାବେଳେ ଛକି ବସିଥିବା କୁମ୍ଭୀର ନାବାଳକକୁ ଝାମ୍ପି ନେଇଛି । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରୁ ଆସିଛି ଏହି ଦୁଃଖଦ ଖବର ।
ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରୁ ଗାଁର ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ ଆଚାର୍ଯ୍ୟ । ଆଜି ସକାଳେ ଘର ପାଖ ଦେଇ ପ୍ରବାହିତ ହେଉଥିବା ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ଆଶୁତୋଷ ତାଙ୍କ ମାଆଙ୍କ ସହ ଯାଇଥିଲେ । ମାଆ ଗାଧୋଇଥିବାବେଳେ ଆଶୁତୋଷ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଛକି ରହିଥିବା ଏକ କୁମ୍ଭୀରର ଶିକାର ହୋଇଥିଲେ । କୁମ୍ଭୀରଟି ଆଶୁତୋଷଙ୍କୁ ଗଭୀର ନଦୀ ଭିତରକୁ ଟାଣି ନେଇ ବୀଭତ୍ସ ଭାବେ ପେଟକୁ ଚିରି ଦେଇଥିବା ଦେଖାଯାଇଛି । ଆଶୁତୋଷଙ୍କ ଚିତ୍କାର ଶୁଣି ସେଠାକୁ ଦୌଡି ଯାଇଥିଲେ ତାଙ୍କ ମାଆ । ହେଲେ ମାଆ ଆଖି ଆଗରେ ପୁଅକୁ ଟାଣି ନେଇଥିଲା କୁମ୍ଭୀର । ସ୍ଥାନୀୟ ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଦେଶୀ ଡଙ୍ଗାରେ ଆଶୁତୋଷଙ୍କୁ ନଦୀ ଭିତରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ନଦୀ ମଧ୍ୟରୁ ଆଶୁତୋଷଙ୍କ ଉଦ୍ଧାର କରାଯାଇଥିଲା ।