କେନ୍ଦ୍ରାପଡ଼ା:ବିଜେଡିର ଶକ୍ତି ପ୍ରଦର୍ଶନ କର୍ମଶାଳାରେ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱରଠାରେ ଆୟୋଜିତ ବିଜେଡିର କର୍ମଶାଳାରେ ଆଳିର ବିଧାୟକ ତଥା ରାଜ୍ୟ ଶକ୍ତି ଓ ଲଘୁ ଉଦ୍ୟୋଗ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ବକ୍ତବ୍ୟରେ ଜଗନ୍ନାଙ୍କୁ ତୁଚ୍ଛ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଓ ଭାରତର ପରିଚୟ ବୋଲି କହିବା ପରେ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହାକୁ ନେଇ ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଆଳିରେ ମୁଖ୍ୟ ବିରୋଧୀଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜକନିକା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତାପ ଦେବଙ୍କୁ ବିରୋଧରେ ନାରାବାଜି ଦିଆଯାଇଥିଲା । ବ୍ଲକ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ନେତୃତ୍ୱରେ ଏକାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ପ୍ରତିବାଦ କରିବା ସହ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
ସେହିପରି ସମାନ୍ତରାଳ ଭାବରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି କଟକ-ଚାନ୍ଦବାଲି ରାସ୍ତାର ଚନ୍ଦନପୋଖରୀ ଛକରେ ପଥପ୍ରାନ୍ତ ସଭା କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରିଥିଲେ ।