କେନ୍ଦ୍ରାପଡା: ଲାଞ୍ଚ ନେଇ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ । ଜନ୍ମ ପ୍ରମାଣପତ୍ର ପାଇଁ 200 ଟଙ୍କା ଲାଞ୍ଚ ନେବାବେଳେ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡା।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ମନୋରଞ୍ଜନ ପରିଡା ପ୍ରସନ୍ନ ଧଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜନ୍ମ ପ୍ରମାଣପତ୍ର କରାଇ ଦେବାକୁ 200 ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କେହି ଜଣେ ବ୍ୟକ୍ତି ଏହି ସମୟରେ ଭିଡିଓ ରେକର୍ଡ କରି ଉକ୍ତ ଭିଡିଓକୁ ଜିଲ୍ଲାପାଳଙ୍କ ପାଖକୁ ପଠାଇଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା ଏହାପରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ଟଙ୍କା ନେଉଥିବା ଡେରାବିଶ୍ ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡାଙ୍କୁ ଶନିବାର ନିଲମ୍ବିତ କରିଛନ୍ତି।
ଜିଲ୍ଲାପାଳଙ୍କ ଏହି କ୍ବିକ୍ ଆକ୍ସନ ପାଇଁ ଅସାଧୁ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ